ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣିଲେ ସମ୍ପର୍କୀୟ, ହସ୍ପିଟାଲ ପରିସରରେ ଉତ୍ତେଜନା

ଗଜପତି,୨୮ା୮(ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସମ୍ପର୍କୀୟମାନେ ହସ୍ପିଟାଲ ସାମ୍ନାରେ ଧାରଣାରେ ବସିବା ସହ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।

ଶୁକ୍ରବାର ରାତିରେ ପାରଳାଖେମୁଣ୍ଡି ୫ନଂ. ଓ୍ବାର୍ଡର ସେରି ସାହିର ଏନ. ଲକ୍ଷ୍ମଣ ରାଓ ନାମକ ଜଣେ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡ୍ୟୁଟିରେ ଥିବା ଡାକ୍ତର ଚିକିତ୍ସାରେ ଅବହେଳା କରିଥିବାରୁ ଶନିବାର ସକାଳେ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଦାବି କରି ମୃତ ଲକ୍ଷ୍ମଣଙ୍କ ସମ୍ପର୍କୀୟମାନେ ମେଡିକାଲ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଥିଲେ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ।