ଡାକ୍ତରଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସମ୍ପର୍କୀୟ

ଟିଟିଲାଗଡ଼,୨୧ା୬(ଶରତ ମିଶ୍ର ): ବଲାଙ୍ଗୀର ଜିଲା ଟିଟିଲାଡ଼ ଉପକଣ୍ଡ ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଟିଟିଲାଗଡ଼ ଥାନା ପୋଲିସ ମୁରାରୀ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି l
ପୋଲିସ ସୂଚନା ମୁତାବକ ବୁଧବାର ରାତିରେ ଟିଟିଲାଗଡ ସହରର ନାରାୟଣ ହୋତା ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ସେହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ବିଜୁ ଅଗ୍ରୱାଲ ତାଙ୍କର ଚେକ୍‌ଅପ କରିଥିଲେ। ସେହି ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଡାକ୍ତର କହିଥିଲେ। ହେଲେ ଏହିକଥାକୁ ରୋଗୀଙ୍କ ସମ୍ପର୍କୀୟମାନେ ବିଶ୍ୱାସ କରି ନ ଥିଲେ। ଡାକ୍ତରଖାନାରେ ଉପସ୍ଥିତ ଡାକ୍ତର କୃଷ୍ଣଚନ୍ଦ୍ର ପାଲଙ୍କୁ ପୁଣି ଥରେ ଚେକଅପ କରିବାକୁ ଡାକ୍ତର ଅଗ୍ରୱାଲ କହିଥିଲେ। ହେଲେ ଡାକ୍ତର ପାଲ ମଧ୍ୟ ରୋଗୀଙ୍କ ମୃତ୍ୟୁ ହୋଇଥିବା କଥା କହିଥିଲେ। ପରିବାର ଲୋକେ ରୋଗୀଙ୍କୁ ଠିକ୍‌ ଭାବେ ନ ଦେଖି ଚିକିତ୍ସାରେ ବିଳମ୍ବ କରିଥିବା ଅଭିଯୋଗ ଆଣିଥିଲେ। ପରେ ଉପସ୍ଥିତ ନାରାୟଣଙ୍କ ସମ୍ପର୍କୀୟ ମୁରାରୀ ମିଶ୍ର ଡାକ୍ତର ପାଲଙ୍କୁ ଗାଳିଗୁଲଜ କରିବା ସହ ଚପଲରେ ପିଟିଥିଲେ l ଏ ନେଇ ଡାକ୍ତର ପାଲ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ଦଫା ୨୯୪, ୩୨୩, ୩୫୩, ୩୫୫, ୫୦୬ ଓ ଆରଡବ୍ଲୁ ସେକ୍ସନ ୩(ଏ)ରେ ଏକ ମାମଲା (୧୭୧/୨୩)ରୁଜୁ କରି ମୁରାରୀ ମିଶ୍ରଙ୍କୁ ଗିରଫ କରିଥିବା ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଓ ଆଇଆଇସି ମନୋଜ କୁମାର ପ୍ରଧାନ ବୁଧବାର ଖବରଦାତା ସମ୍ମିଳନୀ କରି କହିଛନ୍ତି।