Categories: ଫୁରସତ

୯୫ ଥର ରିଜେକ୍ଟ ହୋଇଥିଲେ ଯୁବକ: ଏଭଳି ଉପାୟ ଆପଣାଇଲେ ଯେ ୫ ଦିନରେ ମିଳିଲା ଚାକିରି

ପାଠପଢ଼ା ସରିବା ପରେ ସମସ୍ତେ ଭଲ ଚାକିରିଟିଏ ମିଳୁ ବୋଲି ଚାହାନ୍ତି। ହେଲେ ଅନେକ ଥର ପ୍ରୟାସ କରିବା ସତ୍ତ୍ୱେ ଚାକିରିଟିଏ ମିଳି ନ ଥାଏ। ଲଣ୍ଡନରେ ଜଣେ ଯୁବକଙ୍କ ସହ ସେଭଳି କିଛି ହୋଇଥିଲା। ତାଙ୍କୁ ଗୋଟିଏ କିମ୍ବା ଦୁଇଟି ନୁହେଁ ୯୫ କମ୍ପାନୀ ଚାକିରି ଦେଇ ନ ଥିଲେ। ଏହା ପରେ ସେ ଏଭଳି ଏକ କୌଶଳ ଆପଣାଇଥିଲେ, ଯାହାଫଳରେ ସେ ମାତ୍ର ୫ ଦିନରେ ମନଲାଖି ଚାକିରି ପାଇଛନ୍ତି। ଏବେ ତାଙ୍କର କାହାଣୀ ସୋସିଆଲ ମିଡିଆରୁ ଆରମ୍ଭ କରି ଦେଶବିଦେଶର ଖବରକାଗଜ ଏବଂ ନ୍ୟୁଜ ଚ୍ୟାନେଲ୍‌ରେ ସ୍ଥାନ ପାଉଛି।
ଯୁବକଜଣଙ୍କ ହେଲେ ମହମ୍ମଦ ଅରହମ ଶେହଜାଦ୍‌। ସେ ଏମବିଏ କରିଛନ୍ତି। ଲଗାତାର ଚାକିରି ଲାଗି ସେ ସାକ୍ଷାତକାର ଦେଇଥିଲେ। ହେଲେ ତାଙ୍କୁ ଚାକିରି ମିଳି ନ ଥିଲା। ୯୫ କମ୍ପାନୀରୁ ତାଙ୍କୁ ନା ଶୁଣିବାକୁ ପଡ଼ିଥିଲା। ଏଥିରେ ସେ ହତୋତ୍ସାହିତ ହୋଇଯାଇଥିଲେ। ଶେଷରେ ସେ ଚାକିରି ଖଣ୍ଡେ ପାଇବା ଲାଗି ଅଜବ ଉପାୟ ଆପଣାଇଥିଲେ। ନିଜର ରିଜ୍ୟୁମ୍‌ ସହ ଲଣ୍ଡନ ରାସ୍ତାରେ ଛିଡ଼ା ହୋଇଥିଲେ।
ଗତ ବର୍ଷେ ହେଲା ସେ ଚାକିରି ଖୋଜି ନିରାଶ ହୋଇଥିଲେ। ହେଲେ ଜୁଲାଇ ୧୧ରେ ସେ ସକାଳେ ଉଠି ଏକ ବୋର୍ଡ କରିଥିଲେ। ଏଥିରେ ସେ ଲିଙ୍କଡିନ୍‌ର କ୍ୟୁଆର୍‌ କୋଡ୍‌  ଏବଂ କାନାରୀ ହ୍ବାର୍ଫ ତରଫରୁ ସୁଟକେସ୍‌ ଏବଂ ବୋର୍ଡ ସହ ସେ ହସି ହସି ରାସ୍ତାରେ ଛିଡ଼ା ହୋଇ ନିଜର ବିଜ୍ଞାପନ ଦେଇଥିଲେ। କାହାକୁ ବି ଚାକିରି ମାଗି ନ ଥିଲେ। ଏହାପରେ ବହୁତ ଲୋକ ତାଙ୍କ ପାଖରେ ଆସି ଅଟକିଥିଲେ। ଅନେକେ ତାଙ୍କ କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରି ସାନ୍ତ୍ୱନା ଦେଇଥିଲେ। ଏହାପରେ ଜେପିମୋର୍‌ଗାନ୍‌ କମ୍ପାନୀର ନିର୍ଦ୍ଦେଶକ ତାଙ୍କ ପାଖକୁ ଆସିଥିଲେ। ସେ ତାଙ୍କୁ ନିଜର ବିଜ୍‌ନେସ୍‌ କାର୍ଡ ଦେଇଥିଲେ। ପରେ ଯୁବକଙ୍କ ନିକଟକୁ ମେସେଜ୍‌ ଆସିଥିଲା। ପାଞ୍ଚଦିନ ପରେ ତାଙ୍କୁ ଡାଟା ଆନାଲିଷ୍ଟର ଚାକିରି ମିଳିଥିଲା।
Share