ବିପଦସଙ୍କୁଳ ଅବସ୍ଥାରେ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଗୃହ

ନିଶ୍ଚିନ୍ତକୋଇଲି,୪।୯(ଅଶୋକ କୁମାର ମହାପାତ୍ର୍ର): କଟକ ଉପଜିଲାପାଳଙ୍କ ଅଧୀନରେ ଥିବା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଗୃହ ଦୀର୍ଘଦିନ ହେବ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଗୃହକୁ ମରାମତି କରାଯିବା ନିମନ୍ତେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ କର୍ମଚାରୀମାନେ ଭାଗ୍ୟକୁ ଆଦରି ଏଠାରେ କାର୍ଯ୍ୟ କରୁଛନ୍ତି।
ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଞ୍ଚାୟତର କୁଳିଆଠାରେ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ଉପରେ ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ବ୍ଲକର ବହୁ ଚାଷୀ ନିର୍ଭରଶୀଳ। ପ୍ରତିଦିନ ବିଭିନ୍ନ କାର୍ଯ୍ୟ ନିମନ୍ତେ ଚାଷୀ ଓ କର୍ମଚାରୀମାନେ ଏଠାକୁ ଆସିଥାନ୍ତି। ଏହି କାର୍ଯ୍ୟାଳୟ ପରିସରରେ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ଗୃହ ନିର୍ମାଣ କରାଯାଉଛି। ଏହାସତ୍ତ୍ୱେ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଗୃହର ଛାତ ,କାନ୍ଥ ଓ ବିମ୍‌ ଫାଟି ଆଁ କରିଛି। ଏହାକୁ ମରାମତି ନିମନ୍ତେ ବିଭାଗୀୟସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏବେ କାର୍ଯ୍ୟାଳୟର ଛାତରୁ ପାଣି ଝରୁଥିଲା ବେଳେ ଅଫିସର କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସୁରକ୍ଷିତ ଭାବେ ରହି ପାରୁନାହିଁ। ଛାତରୁ ବହୁ ସମୟରେ ସିମେଣ୍ଟ ମିଶ୍ରିତ ଗୋଡି ଖଣ୍ଡଖଣ୍ଡହୋଇ ଖସିପଡ଼ୁଛି। ଏପରିକି କାର୍ଯ୍ୟାଳୟର କର୍ମଚାରୀ ନିକଟରେ ଆହତ ହୋଇଥିବା ମଧ୍ୟ ନଜୀର ରହିଛି। ପ୍ରଶାସନ ତରଫରୁ ତୁରନ୍ତ ଏହି ବିପଦସଙ୍କୁଳ ଗୃହକୁ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।