Categories: ଖେଳ

ସୁଶାନ୍ତଙ୍କ ସହ କଥା ହୋଇପାରି ନ ଥିବାରୁ ଅବସୋସ ରହିଗଲା: ସୋଏବ ଅଖତର

ନୂଆଦିଲ୍ଲୀ, ୨୮।୬- ନିକଟରେ ଆତ୍ମହତ୍ୟା କରିଥିବା ଯୁବ ଭାରତୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ କଥା ହୋଇପାରି ନ ଥିବାରୁ ପାକିସ୍ତାନ କ୍ରିକେଟ୍‌ ଦଳର ମହାନ ଦ୍ରୁତ ବୋଲର ସୋଏବ ଅଖତର ଦୁଃଖ ପ୍ରକାଶ କରିଛନ୍ତି। ସୋଏବ ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ‘ଯେତେବେଳେ ୨୦୧୬ରେ ମୁଁ ଭାରତ ଗସ୍ତରେ ଥିଲି ସେତେବେଳେ ମୁମ୍ବାଇରେ ଏକ ହୋଟେଲରେ ସୁଶାନ୍ତଙ୍କ ସହ ସାକ୍ଷାତ୍‌ ହୋଇଥିଲା। ସତ କହିବାକୁ ଗଲେ ମୋତେ ସେ ଦୃଢ଼ ଆତ୍ମବିଶ୍ୱାସୀ ଲାଗୁ ନ ଥିଲେ। ମୋ ସାମ୍ନାରେ ଯେତେବେଳେ ସେ ଚାଲିକି ଯାଇଥିଲେ ସେହି ସମୟରେ ମୁଣ୍ଡ ତଳକୁ କରିଥିଲେ। ମୋ ବନ୍ଧୁଜଣେ ମୋତେ ଚିହ୍ନାଇ ଦେଇଥିଲେ ଯେ ଏମ୍‌ଏସ୍‌ ଧୋନୀ ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେହି ସମୟରେ ତାଙ୍କ ଅଭିନୟ ଦେଖିବାକୁ ଇଚ୍ଛା ହୋଇଥିଲା। ସେ ଏକ ନମ୍ର ପରିବାରରୁ ଆସି ଏତେ ଭଲ ଫିଲ୍ମ କରିପାରିଛନ୍ତି। କିନ୍ତୁ ମୁଁ ଦୁଃଖିତ ଏବଂ ମୋର ଅବସୋସ ରହିଗଲା ଯେ ସେହି ସମୟରେ ସୁଶାନ୍ତଙ୍କୁ ଅଟକାଇ ତାଙ୍କ ଜୀବନ ସମ୍ପର୍କରେ କଥା ହୋଇପାରି ନ ଥିଲି’ ବୋଲି ସୋଏବ କହିଛନ୍ତି। ସେହିଭଳି ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ସୋଏବ କହିଛନ୍ତି, ଜୀବନ ହାରିବା କଦାପି ଅନ୍ତିମ ବିକଳ୍ପ ନୁହେଁ। ଜୀବନରେ ଅସୁବିଧା ସବୁବେଳେ ରହିବ। ଯେତେବେଳେ ତୁମେ ଅସୁବିଧାରେ ରହିଛି ସେତେବେଳେ ଏନେଇ ଆଲୋଚନା କରିବା ଉଚିତ୍‌ ବୋଲି ଅଖତର ଏହି ଅବସରରେ ପ୍ରକାଶ କରିଛନ୍ତି।

Share