ଭବାନୀପାଟଣା, ୨।୯ (ଉତ୍ତମ କୁମାର ଦାଶ ): ଆନ୍ଧ୍ରପ୍ରଦେଶ କାକିନାଡାର ଦ୍ରୋଣଇନ୍ଡୋର ଷ୍ଟାଡିୟମରେ ୩ଦିନ ଧରି ୨୧ତମ ଦକ୍ଷିଣ-ପଶ୍ଚିମ ଭାରତୀୟ ଆଞ୍ଚଳିକ ତାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ସର୍ବମୋଟ ୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ କଳାହାଣ୍ଡିରୁ ୮ ଜଣ ପ୍ରତିଯୋଗୀ ଓଡ଼ିଶା ମୁଖ୍ୟ ତଥା କଳାହାଣ୍ଡି ତାଏକୋଣ୍ଡୋ ଆସୋସିଏସନ୍ ର ସମ୍ପାଦକ ସେଖ୍ମୁନାୱର୍ଙ୍କ ତତ୍ତ୍ୱାବଧାନରେ ଭାଗ ନେଇଥିଲେ। ଏଥିରେ ଓଡ଼ିଶାକୁ ସର୍ବମୋଟ ୨୩ ଟି ମେଡାଲ (ପଦକ) ମିଳିଥିବାବେଳେ କଳାହାଣ୍ଡି ପ୍ରତିଯୋଗୀମାନେ ୯ ଟି ପଦକ ପାଇ ସଫଳତାର ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ପଦକ ତାଳିକାରେ ବ୍ୟକ୍ତିଗତ ତୁଲ ବା ପାର୍ଟିନରେ ୧୪-୧୫ ବର୍ଷ ବିଭାଗରେ ପିନାକି ସାହୁ ବ୍ରୋଞ୍ଜ ପଦକ ପାଇଛନ୍ତି । ସେହିପରି ବ୍ୟକ୍ତିଗତ ସ୍ପାରିଙ୍ଗ ବାଳକ ବିଭାଗରେ ୭ ବର୍ଷରୁ କମ୍ ଏବଂ ୨୪-୨୮ ବର୍ଷ ବର୍ଗରେ ସ୍ପାରିଂରେ ମହମ୍ମଦ୍ ଇଫାମ୍ ଅଲି ବ୍ରୋଞ୍ଜ ପଦକ ଏବଂ ୨୪ ବର୍ଷ କମ୍ ବର୍ଗରେ ସ୍ୱରାଜ ଜଗଦଲା ସ୍ପାରିଂରେ ବ୍ରୋଞ୍ଜ ପଦକ ପାଇଛନ୍ତି । ବାଳିକା ବିଭାଗରେ ୮-୯ ବର୍ଷ ଏବଂ ୩୪-୩୮ ବର୍ଷ ବର୍ଗରେ ସାହିନା ଶେଖ୍ ସିରିନ୍ ସ୍ପାରିଂରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ୧୨-୧୩ ବର୍ଷ ଏବଂ ୫୧ କେଜି କମ୍ ବର୍ଗରେ ଲେଖାଶ୍ରୀ ଜଗଦଲା ସ୍ପାରିଂରେ ବ୍ରୋଞ୍ଜ ପଦକ ପାଇଛନ୍ତି ଏବଂ ୫୩-୫୮ କେଜି ବର୍ଗରେ ରିଧିମା ସାହୁ ସ୍ପାରିଂରେ ବ୍ରୋଞ୍ଜ ପଦକ ପାଇଁଛନ୍ତି। ୧୪-୧୫ ବର୍ଷ ବର୍ଗରେ ଏବଂ ୫୦-୫୫ କେଜି ବର୍ଗରେ ରାଜଲକ୍ଷ୍ମୀ ଦେବୀ ସ୍ପାରିଂରେ ରୌପ୍ୟ ପଦକ ହାସଲ କରିଛନ୍ତି ଏବଂ ପ୍ରତିଜ୍ଞାନା ପଣ୍ଡା ୭୫ କେଜି ଉର୍ଦ୍ଦରେ ସ୍ପାରିଂରେ ସ୍ୱର୍ଣ୍ଣ ପଦକ ହାସଲ କରି କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି।
ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ସର୍ବମୋଟ ୪୯୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଆନ୍ଧ୍ରପ୍ରଦେଶ ତାଏକୋଣ୍ଡୋ ଆସୋସିଏସନ୍ ଏବଂ ତାଏକୋଣ୍ଡୋ ଆସୋସିଏନ୍ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ସଫଳତା ପାଇଁ ବିଭିନ୍ନ କ୍ରିଡା ସଂଗଠନ ତଥା କଳାହାଣ୍ଡିବାସୀ କୃତି ପ୍ରତିଯୋଗୀମାନଙ୍କୁ ସ୍ୱାଗତ ଜଣାଇଛନ୍ତି।

