Categories: ଜାତୀୟ

ଆଞ୍ଚଳିକ ଦଳ ହେଉଛନ୍ତି ମ୍ୟାଚ୍‌ ଫିକ୍ସିଂ ପାର୍ଟି, ଭାଜପାର ମୁକାବିଲା କରିବ କଂଗ୍ରେସ…

ନୂଆଦିଲ୍ଲୀ,୫।୧୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶନିବାର ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ଆଞ୍ଚଳିକ ଦଳକୁ ମ୍ୟାଚ ଫିକ୍ସିଂ ଦଳ କହିଛନ୍ତି। କେବଳ କଂଗ୍ରେସ ଭାଜପାର ସହ ମୁକାବିଲା କରିବାକୁ ସକ୍ଷମ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଭାରତ ଯୋଡୋ ଯାତ୍ରା ପ୍ରସଙ୍ଗରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏଭଳି କହିଛନ୍ତି।

କେନ୍ଦ୍ର ତଥା ରାଜ୍ୟରେ ଉଭୟ ମୋଦି ଏବଂ ରାଓ ସରକାରଙ୍କୁ ଡବଲ ଇଞ୍ଜିନ ବୋଲି କହି କଂଗ୍ରେସ ନେତା କହିଛନ୍ତି ଯେ ଟ୍ରେନ ଭୁଲ ପଥରେ ଚାଲିଛି । ଭାରତ ଯୋଡା ଯାତ୍ରାର ଉଦ୍ଦେଶ୍ୟ ଏହାକୁ ସଠିକ ପଥକୁ ଫେରାଇ ଆଣିବା। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ଆଞ୍ଚଳିକ ଦଳ ମ୍ୟାଚ ଫିକ୍ସିଂ ପାର୍ଟି। ସେମାନଙ୍କର ଭାଜପା ସହ ଭଲ ବୁଝାମଣା ରହିଛି। ସେହି ସମସ୍ତ ଦଳ ଇଡି, ଇନକମ ଟ୍ୟାକ୍ସ ଏବଂ ସିବିଆଇକୁ ଡରୁଛନ୍ତି। ତେଣୁ ଯଦି କୌଣସି ଦଳ ଭାଜପା ସହ ମୁକାବିଲା କରିବାକୁ ସକ୍ଷମ, ତେବେ ତାହା ହେଉଛି କଂଗ୍ରେସ। କୌଣସି ଆଞ୍ଚଳିକ ଦଳ ଏହି ମୁକାବିଲା କରି ପାରିବେ ନାହିଁ।

ରାହୁଲ ଗାନ୍ଧୀ ପଦଯାତ୍ରାରେ ଦଳିତ, ଆଦିବାସୀ, କୃଷକ, ଛାତ୍ର, ସରକାରୀ କ୍ଷେତ୍ରର କର୍ମଚାରୀ ଏବଂ ଟ୍ରେଡ ୟୁନିଅନର ନେତାଙ୍କ ସମେତ ବହୁ ସଂଖ୍ୟକ ଗୋଷ୍ଠୀଙ୍କୁ ଭେଟିଛନ୍ତି ଏବଂ ତାଙ୍କ କଥା ଶୁଣିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ନିର୍ବାଚନ ସହ ପଦଯାତ୍ରାର କୌଣସି ସମ୍ପର୍କ ନାହିଁ।

Share