Categories: ରାଜ୍ୟ

ପ୍ରକାଶିତ ଖବରକୁ ଖଣ୍ଡନ

୧୯ା୧୨ା୨୦୨୦ ଧରିତ୍ରୀର ୫ମ ପୃଷ୍ଠାରେ ପ୍ରକାଶିତ ‘ଗୀତା ମେହେଟ୍ଟାଙ୍କ ପରାମର୍ଶରେ ଚାଲିଛି କରୋନା ମୁକାବିଲା: ବିକ୍ରମ ଆରୁଖ’ ଶୀର୍ଷକ ଖବରକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା ଅଧିକାରୀ ମାନସ ଖୁଣ୍ଟିଆ ଲିଖିତ ଆକାରରେ ଖଣ୍ଡନ କରିଛନ୍ତି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଦଦରାଲୁଣ୍ଡା ପଞ୍ଚାୟତରେ ସ୍ବଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ୧୮ା୧୨ା୨୦ରେ ମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ରାଜ୍ୟ ସରକାର କରୋନା ମୁକାବିଲାରେ ସଫଳ ହୋଇଥିବା ମନ୍ତ୍ରୀ କହିଥିବା ମାନସ ଖୁଣ୍ଟିଆ ଉଲ୍ଲେଖ କରିଛନ୍ତିି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁଦିନ କମୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଓ ସମୁଚିତ ନିଷ୍ପତ୍ତି ବଳରେ ରାଜ୍ୟ ସରକାର କରୋନାର ସଫଳ ମୁକାବିଲା କରୁଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ଦେଶ ବିଦେଶର ବିଭିନ୍ନ ଅନୁଷ୍ଠାନ ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଛନ୍ତି ବୋଲି ମନ୍ତ୍ରୀ ଆରୁଖ ପ୍ରକାଶ କରିଥିଲେ। ତେଣୁ ଗୀତା ମେହେଟ୍ଟାଙ୍କ ପରାମର୍ଶରେ ଚାଲିଛି କରୋନା ମୁକାବିଲା ଶୀର୍ଷକ ଖବରକୁ ମନ୍ତ୍ରୀ ଆରୁଖ ଅସ୍ବୀକାର କରିଥିବା ବିଷୟ ବିଭାଗୀୟ ସୂଚନା ଅଧିକାରୀ ଖୁଣ୍ଟିଆ ସୂଚାଇଛନ୍ତି।

ଆମ ଭଞ୍ଜନଗର ଖବରଦାତା କହନ୍ତି
ଆମ ଖବରଦାତା ପଠାଇଥିବା ଭିଡିଓରେ, ଭାଷଣର ୨ ମିନିଟ୍‌ ୧୫ ସେକେଣ୍ଡରେ ମନ୍ତ୍ରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ଉଚ୍ଚାରଣ କରିଛନ୍ତି। ତେଣୁ ପ୍ରକାଶିତ ଖବର ସତ୍ୟ।