ଆରାଧ୍ୟା ବଚ୍ଚନଙ୍କ ଉପରେ ବିଭ୍ରାନ୍ତିକର କଣ୍ଟେଣ୍ଟ କରିବା ମନା

ନୂଆଦିଲ୍ଲୀ,୨୧ା୪: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଉପରେ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକରେ ବିଭ୍ରାନ୍ତିକର କଣ୍ଟେଣ୍ଟ ଦେଖାଯାଇପାରିବ ନାହିଁ ବୋଲି ଗୁରୁବାର ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ଏଥିସହ ଅନେକ ୟୁଟ୍ୟୁବ୍‌ ଚ୍ୟାନେଲକୁ ଏଭଳି କରିବାରୁ କ୍ଷାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ସି. ହରିଶଙ୍କର କହିଛନ୍ତି, ପ୍ରତ୍ୟେକ ଶିଶୁ ସମ୍ମାନ ପାଇବାକୁ ହକ୍‌ଦାର। ଶିଶୁଙ୍କ ଉପରେ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରିବା ରୁଗ୍‌ଣ ବିକୃତି। ଆଇନରେ ଏହା ଆଦୌ ବରଦାସ୍ତଯୋଗ୍ୟ ନୁହେଁ। ପ୍ରକାଶ ଯେ, ଆରାଧ୍ୟାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଓ ତାଙ୍କ ମୃତ୍ୟୁ ଘଟିଥିବା ନେଇ କେତେକ ଭିଡିଓରେ ଅପପ୍ରଚାର କରାଯାଇଥିଲା। ଆରାଧ୍ୟା ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ତରୀଣ ରାୟରେ ଜଷ୍ଟିସ୍‌ ହରିଶଙ୍କର ଏଭଳି ୟୁଟ୍ୟୁବ୍‌ରେ ଥିବା ବିବାଦୀୟ ଭିଡିଓଗୁଡ଼ିକୁ ତତ୍କାଳ ହଟାଇବା ପାଇଁ ଗୁଗଲକୁ ନିର୍ଦ୍ଦେଶ ଦେଇଛନ୍ତି।

Share