ଇୟୁ ବୈଠକରେ ଶରଣାର୍ଥୀ ଚିନ୍ତା

ବ୍ରୁସେଲ୍ସ, ୧ା୯: ଆଫଗାନିସ୍ତାନକୁ ତାଲିବାନ୍‌ ନିୟନ୍ତ୍ରଣକୁ ନେବା ପରେ ସେଠାରେ ସୃଷ୍ଟି ହୋଇଥିବା ଅସ୍ଥିରତା ଟାଳିବା ଏବଂ ଆଫଗାନ୍‌ ଶରଣାର୍ଥୀ ସଙ୍କଟ ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି। ୨୦୧୫ରେ ସିରିଆ ଗୃହଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଶରଣାର୍ଥୀ ସମସ୍ୟାର ପୁନରାବୃତ୍ତି ରୋକିବାକୁ ଗୁରୁତ୍ୱ ଦେଇଛି ୟୁରୋପିଆନ ୟୁନିୟନ (ଇୟୁ)। ତେଣୁ ୨୭ ସଦସ୍ୟ ରାଷ୍ଟ୍ରକୁ ନେଇ ଗଠିତ ଇୟୁ ମଙ୍ଗଳବାର ଆଫଗାନ୍‌ ଶରଣାର୍ଥୀ ସଙ୍କଟ ଉପରେ ଏକ ବୈଠକରେ ଇୟୁ ନ୍ୟାୟ ଓ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀମାନେ ଆଲୋଚନା କରିଛନ୍ତି।
ଯୁଦ୍ଧବେଳେ ୧୦ ଲକ୍ଷରୁ ଅଧିକ ଶରଣାର୍ଥୀ ୟୁରୋପରେ ପହଞ୍ଚିବା ଯୋଗୁ ଇୟୁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଏବେ ଆଫଗାନିସ୍ତାନରୁ ବହୁ ସଂଖ୍ୟାରେ ଶରଣାର୍ଥୀଙ୍କ ଆଗମନ ପୁଣି ଥରେ ସେପରି ସ୍ଥିତି ଉପଜାଇପାରେ ବୋଲି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ୟୁରୋପ ଅଭିମୁଖେ ଆସୁଥିବା ଲୋକଙ୍କୁ ଆଫଗାନିସ୍ତାନ ସୀମାବର୍ତ୍ତୀ ଦେଶଗୁଡ଼ିକରେ ଥଇଥାନ ନିମନ୍ତେ ଇୟୁ ଆର୍ଥତ୍କ ସହାୟତା ପ୍ରଦାନ କରିବା ଉପରେ ଆଲୋଚନା ହୋଇଛି। ମାନବ, ସଙ୍କଟ, ସ୍ଥାନାନ୍ତର ଏବଂ ଆଫଗାନିସ୍ତାନ ପଟୁ ସୁରକ୍ଷା ବ୍ୟବସ୍ଥା ଉପରେ ଥିବା ବିପଦକୁ ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଆଭ୍ୟନ୍ତରୀଣ ବ୍ୟାପାର ୟୁରୋପିଆନ୍‌ କମିଶନର ୟିଲ୍‌ଭା ଜୋହାନ୍‌ସନ୍‌ କହିଛନ୍ତି। ୨୦୧୫ଠାରୁ ପ୍ରାୟ ୫ ଲକ୍ଷ ୭୦ ହଜାର ଆଫଗାନ୍‌ ୟୁରୋପରେ ଆଶ୍ରୟ ପାଇଁ ଆବେଦନ କରିଥିବା ଇୟୁ ପକ୍ଷରୁ ସୂଚନା ଦିଆଯାଇଛି।

Share