ସରକାରୀ କାର୍ଯ୍ୟାଳୟ ନିର୍ମାଣରେ ବ୍ୟବହାର ହେଉଛି ନାଲି ଇଟା

ପଟ୍ଟାମୁଣ୍ଡାଇ,୧୪ା୧୧(ସ୍ବ.ପ୍ର.): ସରକାରୀ ଦପ୍ତର ଘର ନିର୍ମାଣରେ ଫ୍ଲାଇଆସ୍‌ ଇଟା ବ୍ୟବହାର କରାଯିବ ବୋଲି ନିୟମ ରହିଛି। ଏଥିପାଇଁ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବିଲଡିଂ ବାଇ ଲ’ ଦିଆଯାଇଛି। ମାଟି ଇଟା ପୋଡ଼ିବା ଦ୍ୱାରା ସେହି ଧୂଆଁରେ ପରିବେଶ ପ୍ରଦୂଷିତ ହେଉଛି। ତେଣୁ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାହାରୁଥିବା ଫ୍ଲାଇ ଆସ୍‌ରେ ତିଆରି ଇଟା ଯେପରି ଘର ନିର୍ମାଣରେ ବ୍ୟବହାର ହୋଇପାରିବ ସେନେଇ ଗୁରୁତ୍ୱ ଦେବାକୁ କୁହାଯାଇଛି। ମାତ୍ର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ନିର୍ମାଣରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପଟ୍ଟାମୁଣ୍ଡାଇ ସବ୍‌ଭିଜନରେ ତିଆରି ହେଉଥିବା ନୂତନ ଗୃହରେ ପୋଡା ନାଲି ଇଟା ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ହେଉଛି। ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗର ଏପରି କାମକୁ ପରିବେଶବିତ୍‌ ବିଭୁତି ତ୍ରିପାଠୀ ନିନ୍ଦା କରିଛନ୍ତି।
ସୂଚନାଯୋଗ୍ୟ,ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ମାଟି ତିଆରି ଇଟା ଭାଟିକୁ ସମ୍ପୂର୍ଣ୍ଣ ନିଷେଧ ବୋଲି ନିର୍ଦ୍ଦେଶ ଦେବା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିଜ୍ଞପ୍ତି ସଂଖ୍ୟା ଇଏନ୍‌ଭି/୧/୧୯/୨୦୧୪(ପିଟି) ୧୩୭୫/ଏଫ୍‌ଓଇ ତା.୧/୧/୨୦୧୬ ମାଧ୍ୟମରେ ସେହି ଇଟାଭାଟି ଉପରେ ନିଷେଧାଦେଶ ଜାରି କରାଯାଇଛି । ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଗ୍ରୀନ ଟ୍ରିବ୍ୟୁନାଲ୍‌ ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶନାମାକୁ ଉଲ୍ଲଂଘନ କରି ଛତୁ ଫୁଟିଲା ଭଲି ଜନବସତି ପାଖରେ ନାଲି ଇଟାଭାଟି ସ୍ଥାପନ କରାଯାଇ ବେପାର ଚାଲିଛି। ରାଜସ୍ବ ବିଭାଗର କର୍ମଚାରୀଙ୍କ ସହିତ ସଲାସୁତୁରା କରି ବେଧଡ଼କରେ ଏଭଳି ଇଟା କାରବାର ଚାଲିଥିବା ବେଳେ ଏବେ ସରକାରୀ ଦପ୍ତର ପାଇଁ ସେହି ଇଟା ବ୍ୟବହାର କରାଯାଉଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି। ଏ ବାବଦରେ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ଯୋଗାଯୋଗ କରିବାରୁ ଏ ନେଇ କୌଣସି ଅଭିେ୍‌ଯାଗ ଆସିନାହଁି, ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।