ସୁସ୍ଥତା ହାର ୯୭.୩୮ ପ୍ରତିଶତ ଟପିଲା…

ନୂଆଦିଲ୍ଲୀ,୨୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୩ ହଜାର ୫୦୯ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୬୪୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୮ ହଜାର ୪୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୩୮ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୪ ଲକ୍ଷ ୩ ହଜାର ୮୪୦ ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ପଜିଟିଭ୍‌ ହାର ୧.୩୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୨୭ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨୨ ହଜାର ୬୬୨ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୫ କୋଟି ୭ ଲକ୍ଷ ୬ ହଜାର ୨୫୭ ଜଣ ଲୋକଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୬ କୋଟି ୨୬ ଲକ୍ଷ ୨୯ ହଜାର ୭୭୩ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୬ ଲକ୍ଷ ୬୩ ହଜାର ୧୪୭ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।

 

Share