ପରିସଂସ୍ଥାର ପୁନରୁଦ୍ଧାର ହେଉ

ଡ. ଦେବାନନ୍ଦ ବେଉରା

ଏହା କହିବା ବାହୁଲ୍ୟ ଯେ, ଆଜିର ପିଢ଼ି ପରିସଂସ୍ଥା କହିଲେ କିଛି ବୁଝନ୍ତି ନାହିଁ। ଅବଶ୍ୟ କିଛି ଓଡ଼ିଆ ଶବ୍ଦର ସ୍ବଳ୍ପ ପ୍ରଚଳନକୁ ଦେଖିଲେ ‘ପରିସଂସ୍ଥା’ ବଦଳରେ ଇଂଲିଶ ଶବ୍ଦ ‘ଇକୋସିଷ୍ଟମ’କୁ ଅନେକ ଅତି ଭଲରେ ବୁଝିବେ ତଥା ବୁଝାଇପାରିବେ। ସେ ଯାହା ହେଉ, ଯିଏ ଯେଉଁଥିରେ ବୁଝନ୍ତୁ, ବିଷୟ ଓ ବସ୍ତୁ ଏକ ଏବଂ ଅଭିନ୍ନ। ପ୍ରକୃତି, ପରିବେଶ ଓ ପରିସଂସ୍ଥାର ସମ୍ମିଳିତ ସଂରଚନାରେ ଆମ ଜୀବନ୍ତ ପୃଥିବୀର ଉତ୍ପତ୍ତି, ଉତ୍‌ଥାନ ତଥା ଉତ୍କୃଷ୍ଟତା ସମ୍ଭବପର ହୋଇଛି। ହେଲେ ସମ୍ପ୍ରତି ଏଗୁଡ଼ିକର ସ୍ଥିତି, କାର୍ଯ୍ୟକ୍ଷମତା ଓ ଗୁଣବତ୍ତାର ନିମ୍ନଗାମୀ ଗତିଶୀଳତା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ଛିଡ଼ା ହୋଇସାରିଛି। ଅତଏବ ଏହି ପରିପ୍ରେକ୍ଷୀରେ ପରିବେଶ ପ୍ରତି ଆମର ପ୍ରତିବଦ୍ଧତାର ଆମତ୍ଚିନ୍ତନ ଓ ଦାୟିତ୍ୱବୋଧତାକୁ ଜାଗ୍ରତ କରିବାର ପ୍ରୟାସ ସ୍ବରୂପ ଚଳିତ ୨୦୨୧ ମସିହା ବିଶ୍ୱ ପରିବେଶ ଦିବସ ବିଷୟବସ୍ତୁ ରଖାଯାଇଛି ‘ପରିସଂସ୍ଥା ପୁନରୁଦ୍ଧାର’। ପରିସଂସ୍ଥାର ପୁନରୁଦ୍ଧାର କଥା ଯେତେବେଳେ ଉଠୁଛି ନିଶ୍ଚିତ ରୂପେ ବୁଝିବାକୁ ପଡ଼ିବ ପରିସଂସ୍ଥା ବିପର୍ଯ୍ୟସ୍ତ, ଅବକ୍ଷୟିତ ଅବା କବଳିତ। ଏହାକୁ ବ୍ୟବସ୍ଥିତ କରିବାକୁ ପଡ଼ିବ, ପୁନଃସ୍ଥାପନ ପୂର୍ବକ ସଂରକ୍ଷଣ କରିବାକୁ ପଡ଼ିବ। ନତୁବା କିଏ କହିବ ପରିବେଶ-ପରିସଂସ୍ଥାର ବିଘଟନରେ ଜୀବମଣ୍ଡଳ ସହିତ ମଣିଷକୁ କେଉଁଠୁ ମିଳିବ ବଞ୍ଚିରହିବାର ପ୍ରାକୃତିକ ସୁରକ୍ଷା କବଚ। କାହିଁ ଆଜିର କରୋନା ମହାମାରୀର ମହାସଙ୍କଟକୁ ଏଡ଼ାଇ ଦେବାରେ ପ୍ରାକୃତିକ ପ୍ରତିରକ୍ଷାର ଅଭାବ ରହିଯାଇନି ତ? ଗଭୀର ଭାବେ ଚିନ୍ତନୀୟ-ଭବିଷ୍ୟତର ଏମିତି କେତେ କେତେ ବିପଦ ପାଇଁ।
ପରିସଂସ୍ଥା ଏକ ପରିବେଶାନୁକୂଳ ଭୌଗୋଳିକ ଖଣ୍ଡ ବା ସ୍ଥାନ, ଯାହା କିଛି ନିର୍ଦ୍ଦିଷ୍ଟ ଗଛଲତା, ଜୀବଜନ୍ତୁ, କୀଟପତଙ୍ଗ, ଗୁଳ୍ମ ଓ ଅଣୁଜୀବଙ୍କ ଅବସ୍ଥାନ ବଂଶବୃଦ୍ଧି ତଥା ଅଭିବୃଦ୍ଧି ପାଇଁ ସହାୟକ ହୋଇଥାଏ। ପରିସଂସ୍ଥା ସଜୀବ ପ୍ରଜାତି ଓ ନିର୍ଜୀବ ବସ୍ତୁ ମଧ୍ୟରେ ପୌଷ୍ଟିକ ଚକ୍ରୀକରଣର ଏକ ସକ୍ରିୟ ଉତ୍ସ; ଯେଉଁଠି ଅହରହ ଅଙ୍ଗାରକ ଚକ୍ର, ଯବକ୍ଷାରଜାନ ଚକ୍ର, ଅମ୍ଳଜାନ ଚକ୍ର ତଥା ଜଳଚକ୍ର ମାଧ୍ୟମରେ ଶକ୍ତି ସଂଚାଳିତ ହୋଇଥାଏ। ଏତଦ୍‌ବ୍ୟତୀତ ଏହା ଜଳବାୟୁ ନିୟନ୍ତ୍ରଣ ଜଳ-ବାୟୁ-ମୃତ୍ତିକାର ଗୁଣବତ୍ତା ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ପରିସଂସ୍ଥା ଗୋଟେ ଗତିଶୀଳ ଓ ଚଳଚଞ୍ଚଳ ଅସ୍ତିତ୍ୱ; ଯାହା ସମୟାନୁକ୍ରମେ ବିଭିନ୍ନ କାରଣ ପାଇଁ ବିପନ୍ନ ହୋଇଥାଏ ଏବଂ ପୁନଶ୍ଚ ପ୍ରାକୃତିକ ଭାବେ ପୂର୍ବସ୍ଥିତିକୁ ଫେରିଆସିଥାଏ। ଏହା ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ପରିସଂସ୍ଥାର ଆଭ୍ୟନ୍ତରୀଣ ଓ ବାହ୍ୟ ପ୍ରକ୍ରିୟା କାର୍ଯ୍ୟକ୍ଷମତା ମଧ୍ୟରେ ସମନ୍ବୟ ରୁହେ। ପରିସଂସ୍ଥା ମଧ୍ୟରେ ପରିଚାଳିତ ହେଉଥିଲେ ମଧ୍ୟ ମଣିଷର ପରିସଂସ୍ଥୀୟ ସେବା ଓ ସାଧନାର ମାତ୍ରାଧିକ ବ୍ୟବହାରିକ ଶୋଷଣ ଏହାକୁ ବିଘଟିତ କରିବା ସହିତ ପୁନଃସ୍ଥାପନ କରାଇଦେଉନି। ଏଣୁ ପୃଥିବୀର ଅନେକ ପରିସଂସ୍ଥା ବିପର୍ଯ୍ୟସ୍ତ, ବିଲୁପ୍ତପ୍ରାୟ ଅବା ସଙ୍କୁଚିତ। ଗୋଟେ ଛୋଟ ଉଦାହରଣରୁ ଏହା ବୁଝାପଡ଼ିବ-କୌଣସି ଜଙ୍ଗଲରୁ ଏକ ନିର୍ଦ୍ଦିିଷ୍ଟ ପରିମାଣର କାଠ, ଜାଳେଣି ଇତ୍ୟାଦି ସଂଗ୍ରହ କଲେ ତାହା ପ୍ରାକୃତିକ ଉପାୟରେ ପୁନଃଭରିତ ହୋଇଥାଏ। ମାତ୍ର ସମ୍ପୂର୍ଣ୍ଣ ଜଙ୍ଗଲକୁ କାଟି ସଫା କରି ଯଦି କଳକାରଖାନା ସେଠାରେ ବସାଯାଏ ତେବେ ପରିସଂସ୍ଥା ପୂର୍ବ ସ୍ଥିତିକୁ ଫେରିପାରିବାର ସମ୍ଭାବନା ଶୂନ ହୋଇଯାଏ। ସେହିପରି ତୃଣଭୂମିକୁ ଚାଷ ଜମିରେ, ନଦୀ-ଗାଡ଼ିଆକୁ ପୋତି ସହରୀକରଣ, ପାହାଡ-ପର୍ବତ କାଟି ଖଣିଖାଦାନ ତଥା ଭିତ୍ତିଭୂମି ସମ୍ପ୍ରସାରଣ କରି ପରିସଂସ୍ଥା ଗୁଡ଼ିକରେ ଯେଉଁ କ୍ଷତି ପହଞ୍ଚାଯାଉଛି, ତାହା ପୁନଃସ୍ଥାପିତ ହେବାର ବାଟକୁ ସମୂଳେ ବନ୍ଦ କରିଦେଉଛି। ପ୍ରତ୍ୟକ୍ଷ ବା ପରୋକ୍ଷରେ ମଣିଷ ପ୍ରାୟୋଜିତ ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟାଧିକ ଓ ଶକ୍ତିଶାଳୀ ହୋଇ ପରିସଂସ୍ଥାର ପ୍ରଭୂତ କ୍ଷତି ପହଞ୍ଚାଯାଉଛି। ବୈଶ୍ୱିକ ଉତ୍ତାପ ବୃଦ୍ଧି, ପ୍ରଦୂଷଣ, ଖାଦ୍ୟାଭାବ, ଜଳାଭାବ ଏବଂ ସ୍ଥାନାଭାବ ଯୋଗୁ ପରିସଂସ୍ଥାର ଜୀବଜନ୍ତୁ-ଗଛଲତା ମରି ହଜି ଯାଉଛନ୍ତି; ଯାହା ଷଷ୍ଠ ସମୂହ ବିଲୋପନର ମୂଳ କାରଣ ସାଜିଛି।
ପରିସଂସ୍ଥା ଗୁରୁତର ଭାବେ ଅବକ୍ଷୟଗାମୀ ହେବା ଫଳରେ ଏହାର ସୁଦୂର ପ୍ରସାରୀ କୁପ୍ରଭାବ ଜୈବମଣ୍ଡଳ ଓ ଜୈବ ବିବିଧତା ଉପରେ ପଡ଼ିବା ସହିତ ମଣିଷର ଜୀବିକା ସଙ୍କୁଚିତ ହେବାରେ ଲାଗିଛି। ମଣିଷର ଜୀବନ-ଜୀବିକା ପରିସଂସ୍ଥା ସହ ସିଧାସଳଖ ସଂଶ୍ଲିଷ୍ଟ ରହିଥିବାରୁ ଏହାର ସ୍ପନ୍ଦନ ନିରନ୍ତର ବିକାଶର ପରିପନ୍ଥୀ ଭାବେ ଉଭା ହୋଇସାରିଲାଣି। ପରିସଂସ୍ଥୀୟ ବିଘଟନ ଅନେକ ଭୟଙ୍କର ପରିବେଶୀୟ ପ୍ରଭାବକୁ ଆମନ୍ତ୍ରିତ କରିଚାଲିଛି। ସବୁଜଗୃହ ବାଷ୍ପର ମୁଖ୍ୟ ଶୋଷକ ଉତ୍ସ ବୋଲାଉଥିବା ପରିସଂସ୍ଥା ବ୍ୟତିରେକ ବିଶ୍ୱତାପନ ବଢ଼ିଚାଲିବା ସହ ଦୃଷ୍ଟିପାତ କମିଚାଲିଛି। ସ୍ଥାନୀୟ ଜଳବାୟୁ ବିଶେଷ ଭାବେ ପ୍ରଭାବିତ ହେବା ଦ୍ୱାରା ଏହାର ଆଖିଦୃଶିଆ ପ୍ରଭାବ ମଣିଷ ସମାଜ ଉପରେ ପଡ଼ିଚାଲିଛି। ମୃତ୍ତିକାର ଜୈବିକ ଅଂଶ କମିଯିବା, ଜଳଧାରଣ ଶକ୍ତି ହ୍ରାସ ପାଇବା ଫଳରେ କୃଷି ଉତ୍ପାଦନ କମିଚାଲିଛି। ଉତ୍ପାଦନରେ ସାମୟିକ ବୃଦ୍ଧି ବା ସ୍ଥିତାବସ୍ଥା ପାଇଁ ମାତ୍ରାଧିକ ରାସାୟନିକ ସାର, କୀଟନାଶକ ମଣିଷ ସ୍ବାସ୍ଥ୍ୟ ପାଇଁ ଘାତକ ପାଲଟିଛି। ପ୍ରାକୃତିକ ପ୍ରଜନନ ପ୍ରତିହତ ହେବା ଫଳରେ ଜୈବବିବିଧତା ସଙ୍କୁଚିତ ହେଉଛି, ଯାହାଦ୍ୱାରା ଖାଦ୍ୟଶୃଙ୍ଖଳ ଓ ଉର୍ଜା ସଂଚାଳନ ବାଧାପ୍ରାପ୍ତ ହେଉଛି। ପରିସଂସ୍ଥୀୟ ଯୋଗାଣରେ ବାଧା ସୃଷ୍ଟି ସମଗ୍ର ଜୈବମଣ୍ଡଳ ସହିତ ମଣିଷ ସମାଜ ପାଇଁ ମୌଳିକ ଆବଶ୍ୟକତାର ଉପଲବ୍‌ଧିକୁ ନିମ୍ନଗାମୀ କରିଚାଲିଛି।
ମଣିଷ ପାଇଁ ପରିସଂସ୍ଥୀୟ ସେବା ଅତୁଳନୀୟ। ଖାଦ୍ୟ, ବସ୍ତ୍ର, ବାସଗୃହ ପରି ମୌଳିକ ଉପାଦାନ ପ୍ରଦାନ କରିବା ସହିତ ବିଶୁଦ୍ଧ ଜଳ, ବାୟୁ, ପ୍ରମୋଦ ପରିବେଶ ପ୍ରଦାନ କରିଥାଏ। ପରିସଂସ୍ଥା ହିଁ ପରାଗସଙ୍ଗମକୁ ପ୍ରୋତ୍ସାହିତ କରିଥାଏ, ରୋଗ ନିରାକରଣରେ ସହାୟକ ହୁଏ, ମୃତ୍ତିକା ତିଆରି କରିଥାଏ। ଆଉ ଅହରହ ଚିତ୍ତବିନୋଦନ, ସାଂସ୍କୃତିକ, ଆଧ୍ୟାତ୍ମିକ ବାତାବରଣ ପ୍ରଦାନ କରିଥାଏ। ଏତେସବୁ ନିରନ୍ତର ସେବା ଗ୍ରହଣ କରିବା ପରେ ମଧ୍ୟ ମଣିଷର ଆବଶ୍ୟକତାଠାରୁ ଅଧିକ ପ୍ରାପ୍ତିର ମୋହ, ଆଧୁନିକତାରେ ଆତ୍ମଚେତନାକୁ ଆହୁତି ଦେବା ପ୍ରାକୃତିକ ସମ୍ପଦର ମାତ୍ରାଧିକ ଲୁଣ୍ଠନ, ପରିବେଶ ପରିପନ୍ଥୀ କାର୍ଯ୍ୟକଳାପ ବୃଦ୍ଧି ପରିସଂସ୍ଥାକୁ କବଳିତ କରିପକାଉଛି। ଏସବୁ କାର୍ଯ୍ୟରୁ ନିବୃତ୍ତ ନ ରହିଲେ ପରିସଂସ୍ଥା ପୁନରୁଦ୍ଧାର ହେବା କାଠିକର ପାଠ। ପରିସଂସ୍ଥା ଉଭେଇଗଲେ ମଣିଷ ସମାଜର କାୟାକଳ୍ପ ଲିଭିଯିବ, ଏହା ଆମେ ଜାଣିରଖିବା ଦରକାର।
ବିଗିଡି ଯାଇଥିବା ପରିସଂସ୍ଥାକୁ ତା’ର ମୂଳସ୍ଥିତିକୁ ଫେରିଆଣିବା ଏତେ ସହଜ କାର୍ଯ୍ୟ ନୁହେଁ, ଯେପରି ଏକଦା ଜଙ୍ଗଲ ଅବସ୍ଥାନ କରୁଥିବା ସ୍ଥାନକୁ ଆମେ କୃଷିକ୍ଷେତ, ଶିଳ୍ପାୟନ, ଖଣି ଖନନ, ସହରୀକରଣ ଇତ୍ୟାଦିକୁ ରୂପାନ୍ତରିତ କରିସାରିବା ପରେ ପୁଣି ସେ ସ୍ଥାନକୁ ମୂଳସ୍ଥିତିକୁ ଫେରାଇ ଆଣିବା କାଠିକର ପାଠ ମନେ ହୁଏ। ତେବେ ଆଉ ଅଧିକ ସେପରି ନ କରି ନୂତନ ସ୍ଥାନକୁ ଜଙ୍ଗଲୀକରଣ କରି ଉଦ୍ଦେଶ୍ୟ ସାଧନ କରାଯାଇପାରିବ। ଆକଳନ କରାଯାଇଛି-ଆସନ୍ତା ଦଶନ୍ଧୀ ଅର୍ଥାତ୍‌ ୨୦୩୦ ମସିହା ମଧ୍ୟରେ ୩୫୦ ନିୟୁତ ହେକ୍ଟର ଅବକ୍ଷୟିତ ସ୍ଥଳ ଓ ଜଳଜ ପରିସଂସ୍ଥାର ପୁନରୁଦ୍ଧାର ହୋଇପାରିଲେ ୯ ଲକ୍ଷ କୋଟି ଆମେରିକୀୟ ଡଲାରର ପରିସଂସ୍ଥୀୟ ସେବା ମିଳିବା ସହିତ ୧୩ରୁ ୨୬ ଗିଗାଟନ ସବୁଜ ଗୃହ ବାଷ୍ପ ବୟୁମଣ୍ଡଳରୁ ଅପସାରିତ ହୋଇପାରିବ। ଦିନକୁ ଦିନ ବଢ଼ି ଚାଲୁଥିବା ପରିବେଶୀୟ ସଙ୍କଟ କାଳରେ ଏତେ ମାତ୍ରାର ଫାଇଦାକୁ ହାତଛଡା କରିବାଟା ମଣିଷ ସମାଜ ପାଇଁ ମୂର୍ଖତା ନୁହେଁ ତ କ’ଣ।
ଭୂତତ୍ତ୍ୱ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri