Categories: ଜାତୀୟ

ରେକର୍ଡ ବର୍ଷା, ଗୁଜରାଟରେ ବନ୍ୟା

ଅହମଦାବାଦ,୨୩ା୭: ଗୁଜରାଟର ଦକ୍ଷିଣ ଭାଗରେ ଥିବା ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳ ବୁଡ଼ିଯାଇଥିବା ବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପାଣି ଘେରରୁ ୧,୨୦୦ ଲୋକଙ୍କୁ ଉଦ୍ଧାର କରାଯିବା ସହ ସୁରଟରେ ୨,୨୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଭାଲସାଦ ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ଗତ ୧୬ ଘଣ୍ଟା ମଧ୍ୟରେ ଉମ୍ବରଗାଁଓ ତାଲୁକରେ ୧,୧୦୦ ମିଲିମିଟର ବର୍ଷା ହୋଇଛି। ଜିଲାର ଅନ୍ୟ ତାଲୁକଗୁଡ଼ିକରେ ସେହି ସମୟରେ ୬୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତାପ୍ତି ଜିଲାରେ ବର୍ଷା ଜନିତ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଛନ୍ତି।

ଉଦ୍ଧାର କାର୍ଯ୍ୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌) ବାୟୁସେନା ଓ ଉପକୂଳ ସୁରକ୍ଷା ଯବାନମାନେ ସାମିଲ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ବର୍ଷା ସ୍ଥିତି ସମୀକ୍ଷା କରିବା ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଅବଗତ କରାଇଛନ୍ତି। ସମସ୍ତ ଆବଶ୍ୟକୀୟ ସହାୟତା କରାଯିବ ବୋଲି ଶାହା ଗୁଜରାଟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ କାର୍‌ ପାର୍କିଂ ସ୍ଥାନରେ ଥିବା ବିଲ୍ଡିଂର ଝରକା ପର୍ଯ୍ୟନ୍ତ ପାଣିରେ ବୁଡ଼ିଯାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ କାର୍‌ ବୁଡ଼ିରହିଥିବା ଦେଖାଯାଇଛି। ଔରଙ୍ଗା, ପାର ଏବଂ ଡାମନ ଗଙ୍ଗା ନଦୀରେ ଜଳସ୍ତର ବଢ଼ିବା ଫଳରେ ଭାଲସାଦ ଜିଲାରେ ବନ୍ୟା ହୋଇଛି।

Share