Categories: ବଜେଟ

ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୪ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଶେଷ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୩-୨୪ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ଦେଶର ଜିଏସ୍‌ଟି ସଂଗ୍ରହ ୧,୭୮,୪୮୪ କୋଟି ଟଙ୍କାରୁ ଅଧିକ ପରିମାଣର ଟିକସ ରାଜସ୍ବ ଆକାରରେ ସଂଗ୍ରହ କରାଯାଇଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗ୍ରହ ହୋଇଥିବା ଟିକସ ପରିମାଣଠାରୁ ଏହା ୧୧.୫% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ସଂଗୃହୀତ ଟିକସ ପରିମାଣ ୧,୬୦,୧୨୨ କୋଟିଠାରୁ ୨୦୨୩-୨୪ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ୧୧.୫% ( ୧,୭୮,୪୮୪ କୋଟି) ଅଧିକ ଟିକସ ସଂଗୃହୀତ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ୨୦୨୩-୨୪ ଆର୍ଥିକ ବର୍ଷ (ଏପ୍ରିଲରୁ ମାର୍ଚ୍ଚ)ରେ ମୋଟ ୨୦.୧୮ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗ୍ରହ କରାଯାଇଥିଲାବେଳେ ୨୦୨୨-୨୩ ଆର୍ଥିକ ବର୍ଷ (ଏପ୍ରିଲରୁ ମାର୍ଚ୍ଚ)ରେ ମୋଟ ୧୮.୦୧ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗୃହୀତ ହୋଇଥିଲା। ଏପରିକି ବାର୍ଷିକ ଭିତ୍ତିରେ ଚଳିତ ଆର୍ଥିକବର୍ଷର ମୋଟ ଟିକସ ସଂଗ୍ରହ ୧୧.୭% ବୃଦ୍ଧି ହୋଇଛି।
ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚ ମାସରେ ମୋଟ ୧,୭୮,୪୮୪ କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍‌ଟି) ବାବଦରେ ୩୪,୫୩୨ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ରାଜ୍ୟ ଟିକସ (ଏସ୍‌ଜିଏସ୍‌ଟି) ବାବଦକୁ ୪୩,୭୪୬ କୋଟି ଆଦାୟ ହୋଇଛି। ସେହିଭଳି ଆଇଜିଏସ୍‌ଟି ବାବଦକୁ ମୋଟ ୮୭,୯୪୭ କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ୪୦,୩୨୨ କୋଟି ଟଙ୍କା ସାମିଲ) ଏବଂ ସେସ୍‌ ବାବଦରେ ୧୨,୨୫୯ କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ୯୯୬କୋଟି ଟଙ୍କା ସାମିଲ) ଟିକସ ଆକାରରେ ସଂଗ୍ରହ କରାଯାଇଛି। ସେହିଭଳି କ୍ରମାଗତ ୨୫ମାସ ପାଇଁ ଦେଶର ଜିଏସ୍‌ଟି ସଂଗ୍ରହ ୧.୪ ଲକ୍ଷ କୋଟିରୁ ଅଧିକ ରହିଥିବାବେଳେ ଷୋଡ଼ଶ ଥର ପାଇଁ ୧.୫ଲକ୍ଷ କୋଟିରୁ ଅଧିକ ପରିମାଣର ଟିକସ ଆଦାୟ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ୧୦ମ ଥର ଲାଗି ଜିଏସ୍‌ଟି ସଂଗ୍ରହ ୧.୬ ଲକ୍ଷ କୋଟିରୁ ଅଧିକ ରହିଥିବାବେଳେ ୫ୟ ଥର ଲାଗି ୧.୭ ଲକ୍ଷ କୋଟିରୁ ଅଧିକ ଏବଂ ଚଳିତ ଆର୍ଥିକ ବର୍ଷରେ ୩ୟ ଥର ଲାଗି ୧.୭ଲକ୍ଷ କୋଟିରୁ ଅଧିକ ଟିକସ ରାଜସ୍ବ ଆକାରରେ ଆଦାୟ କରାଯାଇଥିବା ମନ୍ତ୍ରଣାଳୟ ଓ୍ବେବସାଇଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।