ଜିଏସ୍‌ଟି ଆଦାୟରେ ୩୦.୨୮ ପ୍ରତିଶତ ରେକର୍ଡ ଅଭିବୃଦ୍ଧି

ଭୁବନେଶ୍ୱର,୨ା୬(ବ୍ୟୁରୋ): ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ଆଦାୟରେ ରେକର୍ଡ ଅଭିବୃଦ୍ଧି ହୋଇଛି। ୨୦୨୩ ମେ’ରେ ଜିଏସ୍‌ଟି ଆଦାୟରେ ୩୦.୨୮ ପ୍ରତିଶତ ଅଭିବୃଦ୍ଧି ହେବା ସହ ୧୬୭୫.୭୭ କୋଟି ଟଙ୍କା ସଂଗ୍ରହ କରାଯାଇଛି । ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡ଼ିଶା ଚଳିତ ବର୍ଷ ମେ’ ମାସରେ ୧୧.୧୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ସହ ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି । ଗତବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୯୫୫.୭୫ କୋଟି ଟଙ୍କା । ଚଳିତ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୯୪୩୩.୪୭ କୋଟି ଟଙ୍କା ହୋଇଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ୮୮୬୫.୯୮ କୋଟି ଟଙ୍କା ଥିଲା । ୨୦୨୩-୨୪ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ଫଇସଲା ବାବଦକୁ ରାଜ୍ୟ ପାଇଥିବା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ପରିମାଣ ୪୦୩୪.୯୪କୋଟି ଟଙ୍କା ହୋଇଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ଥିଲା ୨୯୬୬.୨୯ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୩୬.୦୩ ପ୍ରତିଶତ ରହିଛି । ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗ ପକ୍ଷରୁ ଜିଏସ୍‌ଟି, ଭାଟ୍‌, ପ୍ରବେଶ ଶୁଳ୍କ, ବୃତ୍ତିଗତ କର ଅଧୀନରେ ଚଳିତ ବର୍ଷ ମେ’ ମାସରେ ମୋଟ ୨୭୧୧.୦୪ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଗତବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୩୧୧.୭୮କୋଟି ଟଙ୍କା। ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୭.୨୭ ପ୍ରତିଶତ ରହିଛି । ଚଳିତ ବର୍ଷ ମେ’ ମାସରେ ୨୦.୪୦ ଲକ୍ଷ ଇ-ୱେବିଲ୍‌ ନିର୍ଗମନ କରାଯାଇଥିବା ବେଳେ ୨୦୨୨ ମେ’ ମାସରେ ୧୭.୨୬ ଲକ୍ଷ ସଂଖ୍ୟକ ଇ-ୱେବିଲ୍‌ ନିର୍ଗମନ କରାଯାଇଥିଲା ା ଏ କ୍ଷେତ୍ରରେ ୧୮.୧୯ ପ୍ରତିଶତ ହୋଇଛି।