ଜାନୁୟାରୀରେ ୟୁରୋପରେ ରେକର୍ଡ ଭଙ୍ଗା ତାତି: ଜଳବାୟୁ ପରିବର୍ତ୍ତନ ଅବା ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ନେଇ ଚର୍ଚ୍ଚା…

ବର୍ଲିନ,୩।୧ : ୟୁରୋପରେ ଜାନୁୟାରୀର ପ୍ରବଳ ଥଣ୍ଡା ଶୀତ ଦିନେ ତାତି ରେକର୍ଡ ଭାଙ୍ଗିବାରେ ଲାଗିଛି। ଏହାକୁ ଜଳବାୟୁ ପରିବର୍ତ୍ତନ କିମ୍ବା ୟୁକ୍ରେନ ଯୁଦ୍ଧର ଉତ୍ତାପର ପ୍ରଭାବ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାନୁଆରୀ ପ୍ରଥମ ଦୁଇ ଦିନ ୟୁରୋପରେ ଅତ୍ୟଧିକ ଗରମ ଅନୁଭୁତ ହୋଇଥିଲା। ନୂତନ ବର୍ଷର ପ୍ରଥମ ଦୁଇ ଦିନ ଗରମ ଦିନ ଭାବରେ ରେକର୍ଡ କରାଯାଇଛି। ୟୁରୋପର ଅତି କମରେ ଆଠଟି ଦେଶରେ ଏଭଳି ପରିସ୍ଥିତି ଦେଖାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୋଲାଣ୍ଡ, ଡେନମାର୍କ, ଚେକ ରିପବ୍ଲିକ, ନେଦରଲାଣ୍ଡ, ବେଲାରୁଷ, ଲିଥୁଆ ଏବଂ ଲାଟିଭିଆ ଆଦି ଦେଶରେ ଏଭଳି ତାତି ରେକର୍ଡ ହୋଇଛି। ୟୁରୋପର ପାଣିପାଗ ବିଜ୍ଞାନୀ ଦ ଗାର୍ଡିଆନକୁ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ୟୁରୋପରେ ପାଣିପାଗ ରେକର୍ଡ ଏକ ଭୟାବହ ହାରରେ ଭାଙ୍ଗବାରେ ଲାଗିଛି। ତାପମାତ୍ରା ଉପରେ ନଜର ରଖୁଥିବା ପାଣିପାଗ ବିଜ୍ଞାନୀ ମ୍ୟାକ୍ସିମିଲିଆନୋ ହେରେରାଙ୍କ ଅନୁଯାୟୀ ପୋଲାଣ୍ଡର କୋରବିଏଲୋ ଗାଁର ତାପମାତ୍ରା ୧୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ମେ ମାସରେ ଏଠାରେ ରହୁଥିବା ତାପମାତ୍ରାଠାରୁ ଏହା ଅଧିକ। ଜାନୁଆରୀର ହାରାହାରି ତାପମାତ୍ରା ୧ ଡିଗ୍ରୀ ଠାରୁ ଏହା ୧୮ ଡିଗ୍ରୀ ଅଧିକ ରହିଛି।

ସେହିଭଳି, ଚେକ ରିପବ୍ଲିକର ଜାଭୋର୍ନିକରେ ତାପମାତ୍ରା ୧୯.୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏଠାରେ ତାପମାତ୍ରାରେ ହାରାହାରି ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି। ଜାନୁଆରୀରେ ବେଲାରୁଷର ତାପମାତ୍ରା ପ୍ରାୟ ଶୂନ ଡିଗ୍ରୀ ରହିଥାଏ। ମାତ୍ର ନୂଆବର୍ଷର ପ୍ରଥମ ଦିନରେ ରବିବାର ଏହା ୧୬.୫ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଏହା ଦେଶର ପୂର୍ବ ଜାନୁଆରୀ ରେକର୍ଡ ୪.୫ ଡିଗ୍ରୀ ସେଲସିୟସକୁ ଭାଙ୍ଗିଛି। ଜାନୁଆରୀରେ ଜର୍ମାନୀ, ଉତ୍ତର ସ୍ପେନ ଏବଂ ଫ୍ରାନ୍ସର ଦକ୍ଷିଣରେ ମଧ୍ୟ ରେକର୍ଡ ଉତ୍ତାପ ଅନୁଭୂତ ହୋଇଛି। ନରୱେ, ବ୍ରିଟେନ, ଆୟର୍ଲାଣ୍ଡ, ଇଟାଲୀ ଏବଂ ଦକ୍ଷିଣ-ପୂର୍ବ ଭୂମଧ୍ୟସାଗରୀୟ ଦେଶରେ ତାତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ପାଣିପାଗ ବିଜ୍ଞାନୀ ହେରେରାଙ୍କ ଅନୁଯାୟୀ ଏହା ୟୁରୋପୀୟ ଇତିହାସର ସବୁଠାରୁ ଉତ୍ତପ୍ତ ଗ୍ରୀଷ୍ମ ବୋଲି ବିବେଚନା କରାଯାଇପାରେ। ଅନ୍ୟ ଜଣେ ପାଣିପାଗ ବିଜ୍ଞାନୀ ଆଲେକ୍ସ ବୁର୍କିଲ ମଧ୍ୟ ହେରେରାଙ୍କ ଦାବିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ୟୁରୋପର ଏକ ବୃହତ ଅଞ୍ଚଳରେ ଅତ୍ୟଧିକ ଉତ୍ତାପ ଅନୁଭୂତ ହେଉଛି, ଯାହା ଏପର୍ଯ୍ୟନ୍ତ ରେକର୍ଡ କରାଯାଇ ନ ଥିଲା।

ଅନ୍ୟ ୟୁରୋପୀୟ ପାଣିପାଗ ବିଜ୍ଞାନୀ ସ୍କଟ ଡଙ୍କାନଙ୍କ ଅନୁଯାୟୀ ୟୁରୋପର ଏହି ତାପମାତ୍ରା ଆଶ୍ଚର୍ଯ୍ୟଜନକ ଅଟେ। ଗତ ବର୍ଷ ମଧ୍ୟ ଅତ୍ୟଧିକ ଗରମ ନୂଆ ବର୍ଷ ଥିଲା, କିନ୍ତୁ ଏଥର ଏହା ରେକର୍ଡ ଭାଙ୍ଗିଛି । ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିଥିବା ପ୍ରଫେସର ବିଲ ମ୍ୟାକଗାୟର କହିଛନ୍ତି ଯେ ତାତି ଅତ୍ୟଧିକ ହେବାର ପୂର୍ବାନୁମାନ କରାଯାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗ୍ଲୋବାଲ ୱାର୍ମିଂ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭବିଷ୍ୟତର ଏହା ଏକ ଛୋଟ ଝଲକ ଦେଖାଇଛି। ଯାହା ଶୀତକୁ ଶୀଘ୍ର ଶେଷ କରିବ ଏବଂ ଏହାକୁ ଆର୍ଦ୍ର ଏବଂ ସାମାନ୍ୟ ପାଗରେ ପରିଣତ କରିବ। ଫଳରେ କ୍ୱଚିତ ଥଣ୍ଡା ଅନୁଭୁତ ହେବା ସହିତ ରାସ୍ତାରେ ବରଫ କମ୍‌ ଦୃଶ୍ୟମାନ ହେବ।

Share