କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ ଅବରୋଧ ହୋଇଛି।
ସହରର ଉପକଣ୍ଠ ରେଲଓ୍ବେ ଓଭର ବ୍ରିଜ୍ ନିକଟରେ ଆଣ୍ଠୁଏ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ଜିଲାର ବିଭିନ୍ନ ସ୍ଥାନରେ ମାଟିଘର ଭାଙ୍ଗିଥିବା ଓ କେତେକ ସ୍ଥାନରେ ବର୍ଷାଜଳ ଘରେ ପଶିଥିବା ସୂଚନା ମିଳିଛି। ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୫ଟା ସୁଦ୍ଧା କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୮୪୨.୦ ମି.ମି. ବର୍ଷା ହୋଇଛି।
ହାରାହାରି ବର୍ଷା ପରିମାଣ ୬୦.୧୪ ମି.ମି. ରହିଛି। ଦଶମନ୍ତପୁର ବ୍ଲକ୍ରେ ସର୍ବାଧିକ ୮୪.୦ ମି.ମି. ବର୍ଷା ରେକର୍ଡ ହୋଇଛି। ଲକ୍ଷ୍ମୀପୁରରେ ୮୩.୪ ମି.ମି., ଜୟପୁରରେ ୮୦.୮ ମି.ମି., ବୋରିଗୁମ୍ମାରେ ୭୩.୬ ମି.ମି., ବୈପାରିଗୁଡ଼ାରେ ୭୦.୦ ମି.ମି., କୋରାପୁଟରେ ୬୯.୨ ମି.ମି., କୁନ୍ଦୁରାରେ ୬୯.୦ ମି.ମି. ବର୍ଷା ହୋଇଛି। ସେହିପରି ସେମିଳିଗୁଡ଼ାରେ ୬୩.୯ ମି.ମି., ନାରାୟଣପାଟଣାରେ ୫୯.୬ ମି.ମି., ଲମତାପୁଟରେ ୫୪.୩ ମି.ମି., ନନ୍ଦପୁରରେ ୪୪.୦ ମି.ମି., କୋଟପାଡ଼ରେ ୩୧.୦ ମି.ମି., ବନ୍ଧୁଗାଁରେ ୩୦.୦ ମି.ମି. ଓ ପଟ୍ଟାଙ୍ଗିରେ ସର୍ବନିମ୍ନ ୨୯.୨ ମି.ମି. ବର୍ଷା ରେକର୍ଡ ହୋଇଥିବା ଜିଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର(ଡିଇଓସି) ପକ୍ଷରୁ ସୂଚନା ଦିଆଯାଇଛି।