୧୬୦ ଜନଜାତିଙ୍କୁ ମାନ୍ୟତା ଦିଅ

ଭୁବନେଶ୍ୱର,୧୮୯(ବ୍ୟୁରୋ): ଅନୁସୂଚିତ ଜନଜାତି ତାଲିକାରେ ରାଜ୍ୟର ୧୬୦ରୁ ଅଧିକ ଜନଜାତିଙ୍କୁ ସାମିଲ କରିବା ପ୍ରସ୍ତାବ ଦୀର୍ଘଦିନ ଧରି କେନ୍ଦ୍ର ନିକଟରେ ପଡ଼ିରହିଛି। ଏ ନେଇ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ଅବଗତ କରିଆସୁଛନ୍ତି। ମାତ୍ର ସେଗୁଡ଼ିକୁ ବିଚାରକୁ ନିଆଯାଉନାହିଁ। ଏପରି କି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଏକ ଟାସ୍କଫୋର୍ସ ୨୦୧୪ରେ ରାଜ୍ୟର ୯ ଜନଜାତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେହିସବୁ ଜନଜାତିଙ୍କୁ ଏ ପର୍ଯ୍ୟନ୍ତ ତାଲିକାଭୁକ୍ତ କରାଯାଇ ନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ସହ ଶନିବାର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖି ରାଜ୍ୟର ପ୍ରସ୍ତାବ ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି। ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୧୯୭୮ରୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ୧୬୦ରୁ ଅଧିକ ଜନଜାତିଙ୍କୁ ତାଲିକାଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହିସବୁ ପ୍ରସ୍ତାବ ଅନୁସୂଚିତ ଜନଜାତି ଉପଦେଷ୍ଟା ପରିଷଦର ଅନୁମୋଦନ ପରେ କେନ୍ଦ୍ରକୁ ପଠାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହୁଥିବା ସେହିସବୁ ଅନୁସୂଚିତ ଜନଜାତି ସମାନ ଜାତିର ହୋଇଥିବା ବେଳେ କେବଳ ଉଚ୍ଚାରଣଗତ ସମସ୍ୟା ଯୋଗୁ ଆଦିବାସୀ ତାଲିକାଭୁକ୍ତ ହୋଇପାରୁ ନାହାନ୍ତି। ଦୀର୍ଘଦିନରୁ ରାଜ୍ୟ ସରକାର ଏହି ଦାବି କରି ଆସୁଥିଲେ ମଧ୍ୟ ଜନଜାତି ଲୋକମାନେ ତାଲିକାଭୁକ୍ତ ହୋଇପାରୁ ନ ଥିବାରୁ ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସୁବିଧାସୁଯୋଗ ମିଳିପାରୁ ନାହିଁ। ସେମାନେ ଅନ୍ୟାୟର ଶିକାର ହେଉଛନ୍ତି। ଦୀର୍ଘଦିନ ଧରି ପଡ଼ି ରହିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରିବା ସହ ସେମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ମୁଣ୍ଡାଙ୍କୁ ଅନୁରୋଧ କରିଛନ୍ତି।