Categories: ଫୁରସତ

କାଲିଫର୍ନିଆରେ ସ୍ବସ୍ତିକକୁ ସ୍ବୀକୃତି

ଓ୍ବାଶିଂଟନ୍‌: ଆମେରିକାର କାଲିଫର୍ନିଆ ବିଧାନସଭା ରାଜ୍ୟର ଦଣ୍ଡବିଧି ଆଇନରେ ପବିତ୍ର ସ୍ବସ୍ତିକ ଚିହ୍ନକୁ ସ୍ଥାନିତ କରିବା ପାଇଁ ସ୍ବୀକୃତି ଦେଇଛି। ଏଥିସହ ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ଆଡଲ୍ଫ ହିଟ୍‌ଲରଙ୍କ ସ୍ବସ୍ତିକ ଚିହ୍ନ ‘ହ୍ୟାକେନ୍‌କ୍ରେୟୁଜ୍‌’କୁ ଏକ ଘୃଣ୍ୟ ପ୍ରତୀକ ରୂପେ ବିବେଚନା ଲାଗି ମଧ୍ୟ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି। କାଲିଫର୍ନିଆ ହେଉଛି ସର୍ବାଧିକ ଭାରତୀୟ ବଂଶୋଦ୍ଭବ ବସବାସ କରୁଥିବା ଏକ ଆମେରିକୀୟ ରାଜ୍ୟ। ସେଠାକାର ଭାରତୀୟମାନେ ଦୀର୍ଘବର୍ଷ ଧରି ସ୍ବସ୍ତିକ ଚିହ୍ନକୁ ନେଇ ଆଇନ ଆଣିବା ପାଇଁ ଦାବି କରିଆସୁଥିଲେ। ଗତ ସପ୍ତାହରେ ଗୃହୀତ ହୋଇଥିବା ବିଲ୍‌ ଏବେ ଗଭର୍ନର ଗଭିନ୍‌ ନ୍ୟୁଜୋମ୍‌ଙ୍କ ଟେବୁଲକୁ ଯାଇଛି। ଏଥିରେ ସେ ସ୍ବାକ୍ଷର କରିବା ପରେ ସ୍ବସ୍ତିକ ଚିହ୍ନକୁ ଆଇନତଃ ବୈଧ ଘୋଷଣା କରିବାରେ କାଲିଫର୍ନିଆ ହେବ ଆମେରିକାର ପ୍ରଥମ ରାଜ୍ୟ। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀଙ୍କୁ ନେଇ ଗଠିତ ଏକ ଆନ୍ତଃ ଧର୍ମୀୟ ମେଣ୍ଟର ନେତାମାନେ କାଲିଫର୍ନିଆ ଷ୍ଟେଟ୍‌ ସିନେଟ୍‌ର ସଂଖ୍ୟାଗରିଷ୍ଠ ନେତା ବପ୍‌ ହର୍ଜବର୍ଗଙ୍କୁ ପତ୍ର ଲେଖି ସ୍ବସ୍ତିକ ଚିହ୍ନର ବୈଧୀକରଣ ପ୍ରତି ନିଜ ସମର୍ଥନ ଘୋଷଣା କରିଥିଲେ। ସେଠାର ହିନ୍ଦୁ ଆମେରିକାନ୍‌ ଫାଉଣ୍ଡେଶନ(ଏଚ୍‌ଏଏଫ୍‌) ଏହି ପଦକ୍ଷେପକୁ ପ୍ରଶଂସା କରିଛି। ଏଚ୍‌ଏଏଫ୍‌ର ପରିଚାଳନା ନିର୍ଦ୍ଦେଶକ ସମୀର କଲ୍‌ରା କହିଛନ୍ତି, ଏବି୨୨୮୨ ବିଧେୟକ ଗୃହରେ ପାରିତ ହେବା ପରେ କାଲିଫର୍ନିଆରେ ସ୍ବସ୍ତିକ ଚିହ୍ନ ଅପରାଧମୁକ୍ତ ହେବାକୁ ଯାଉଛି। ଏହି ଐତିହାସିକ ପଦକ୍ଷେପକୁ ଗଭର୍ନରଙ୍କ ଅନୁମୋଦନ ମିଳିଲେ ହିନ୍ଦୁ, ବୌଦ୍ଧ, ଜୈନଧର୍ମର ଲୋକେ ଆଶ୍ୱସ୍ତି ଲାଭ କରିବେ। ଏହା ପୂର୍ବରୁ ନାଜି ଶାସକ ଆଡଲ୍ଫ ହିଟ୍‌ଲର ନିଜ ସେନାରେ ସ୍ବସ୍ତିକ ଚିହ୍ନକୁ ବହୁଳ ଭାବେ ବ୍ୟବହାର କରୁଥିଲେ। ହିଟ୍‌ଲରଙ୍କ ସ୍ବସ୍ତିକକୁ ଆମେରିକୀୟମାନେ ନାଜି ହ୍ୟାକେନ୍‌କ୍ରେୟୁଜ୍‌ ନାମ ଦେଇ ଘୃଣାର ପ୍ରତୀକ ରୂପେ ବିବେଚନା କରିଥାନ୍ତି। ନୂଆ ଆଇନ ବଳରେ ନାଜିଙ୍କ ସ୍ବସ୍ତିକ ଓ ହିନ୍ଦୁଙ୍କ ସ୍ବସ୍ତିକ ମଧ୍ୟରେ ରହିଥିବା ପ୍ରଭେଦକୁ ସ୍ପଷ୍ଟ କରାଯାଇଛି।

Share