Categories: ଜାତୀୟ

ସମଲିଙ୍ଗୀ ବିବାହକୁ ମାନ୍ୟତା: କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୨ : ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିବାକୁ ଏକ ନୂତନ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ଥିବା ଏକ ଆବେଦନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ମାମଲାକୁ ମଧ୍ୟ ଏକ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋଭର ଏହି ମାମଲାର ଶୁଣାଣି ଲାଇଭ ଷ୍ଟ୍ରିମିଂ କରିବାକୁ ଦାବି କରିଥିଲେ। କହିଛନ୍ତି ଯେ ଅନେକ ଲୋକ ଏହି ପ୍ରସଙ୍ଗରେ ଆଗ୍ରହୀ ଅଟନ୍ତି।

ଏହା ଉପରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଯେତେବେଳେ ଶୁଣାଣି ହେବ, ଆମେ ଏନେଇ ବିଚାର କରିବୁ। ଏହାପୂର୍ବରୁ ନଭେମ୍ବର ୨୫ ରେ ସୁପ୍ରିମକୋର୍ଟ ଅନ୍ୟ ଏକ ସମଲିଙ୍ଗୀ ଦମ୍ପତିଙ୍କ ଆବେଦନ ଉପରେ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ ଏବଂ ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଏହାର ଉତ୍ତର ମାଗିଥିଲେ।

ପୂର୍ବରୁ ଦୁଇଟି ଜନସ୍ବାର୍ଥ ମାମଲା ମଧ୍ୟ ଏନେଇ ଦାଖଲ କରାଯାଇଥିଲା। ଏହି ଆବେଦନପତ୍ରରେ ସମଲିଙ୍ଗୀ ବ୍ୟକ୍ତିଙ୍କ ବିବାହକୁ ସ୍ବତନ୍ତ୍ର ବିବାହ ଆଇନରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି କରାଯାଇଥିଲା। ହାଇଦ୍ରାବାଦରେ ରହୁଥିବା ଦୁଇ ସମଲିଙ୍ଗୀ ବ୍ୟକ୍ତିଙ୍କ ଦ୍ୱାରା ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ ଦାବିରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଆବେଦନକାରୀ ସୁପ୍ରିଓ ଚକ୍ରବର୍ତ୍ତୀ ଏବଂ ଅଭୟ ଡାଙ୍ଗ ପ୍ରାୟ ୧୦ ବର୍ଷ ଧରି ପରସ୍ପର ସହ ଅଛନ୍ତି। ସେମାନଙ୍କର ସମ୍ପର୍କକୁ ସେମାନଙ୍କ ପିତାମାତା, ପରିବାର ଏବଂ ସାଙ୍ଗମାନେ ମଧ୍ୟ ସମର୍ଥନ କରୂଛନ୍ତି।

ଆବେଦନକାରୀମାନେ କହିଛନ୍ତି ଯେ ସ୍ବତନ୍ତ୍ର ବିବାହ ଆଇନ ଭାରତୀୟ ସମ୍ବିଧାନର ବିପରୀତ ଅଟେ। ଏହା ସମାନ ଲିଙ୍ଗ ଦମ୍ପତି ଏବଂ ବିପରୀତ ଲିଙ୍ଗ ଦମ୍ପତିଙ୍କ ମଧ୍ୟରେ ଭେଦଭାବ କରେ। ଏହା ସମଲିଙ୍ଗୀ ଦମ୍ପତିଙ୍କୁ ଆଇନଗତ ଅଧିକାରରୁ ବଞ୍ଚିତ କରିବା ସହିତ ବିବାହ ଭଳି ସାମାଜିକ ସ୍ବୀକୃତି ଏବଂ ସ୍ଥିତିରୁ ବଞ୍ଚିତ କରିଥାଏ।

Share