ବୁଗୁଡ଼ା ସହରରେ ବଢୁଛି ବେପରୁଆ ଗାଡ଼ି ଚାଳନା

ବୁଗୁଡ଼ା,୧୫ା୩(ଡି.ଏନ.ଏ.): ବୁଗୁଡ଼ା ଅଞ୍ଚଳରେ ଦିନକୁଦିନ ଜନବସତି ବୃଦ୍ଧି ହେବାରେ ଲାଗିଛି। ଏହି ଅନୁପାତରେ ଯାନବାହନ ମଧ୍ୟ ବୃଦ୍ଧି ପାଇଛି। ବହୁ ସମୟରେ ବେପରୁଆ ଗାଡ଼ି ଚାଳନା ପାଇଁ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି। ସରକାର ୧୮ ବର୍ଷରୁ କମ୍‌ ବୟସ ଓ ବିନା ଲାଇସେନ୍ସରେ ଗାଡି ଚଲାଇବା ମନା କରିଥିବା ବେଳେ ସଡ଼କ ସୁରକ୍ଷା ନିୟମକୁ ଲୋକେ ଏବେ ଭୁଲିଗଲେଣି। ବୁଗୁଡା ସହରରେ କଲେଜ ପିଲାଙ୍କଠାରୁ ଆରମ୍ଭ କରି ସ୍କୁଲ ପିଲା ଯାଏ ବିନା ଲାଇସେନ୍ସ ଓ ହେଲମେଟରେ ଗାଡ଼ି ଚଲାଉଥିବା ବେଳେ ପ୍ରଶାସନ ପୂରା ନୀରବଦ୍ରଷ୍ଟା ସାଜିଛି। ଏପରିକି ଛାତ୍ରୀଛାତ୍ରମାନେ ସ୍କୁଲ, କଲେଜକୁ ଗାଡ଼ି ଚଲାଇ ଯାଉଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା କଲେଜ କର୍ତ୍ତୃପକ୍ଷ ମଧ୍ୟ ନଦେଖିଲା ଭଳି ରହୁଛନ୍ତି। ସହରରେ କଲେଜ ଛାତ୍ରମାନେ ବହୁ ସମୟରେ ଦ୍ରୁତଗତିରେ ଗାଡ଼ି ଚାଳନା କରୁଥିବା ଦେଖିବାକୁ ମିଳୁଛି। ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଗାଡ଼ି ଚେକିଂ ସହ ଜରିମାନା ଆଦାୟ ଠାରୁ ଲାଇସେନ୍ସ ରଦ୍ଦ ଯାଏ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ସହର ବାହାରେ ପରିବହନ ବିଭାଗ ପକ୍ଷରୁ ହିଁ ଚେକିଂ ହେଉଥିଲେ ମଧ୍ୟ ସହର ଭିତରେ ନିୟମ ଉଲ୍ଲଂଘନ କରି କେତେଜଣ ଯୁବକ ଓ ଛାତ୍ର ଦ୍ରୁତ ଗତିରେ ବାଇକ ଚଲାଉଥିବା ବେଳେ ଲୋକେ ଭୟଭୀତ ହୋଇପଡୁଛନ୍ତି। ଘରୁ ରାସ୍ତାକୁ ବାହାରିଲେ ବରିଷ୍ଠ ନାଗରିକ ଓ ମହିଳାଙ୍କୁ ବେପରୁଆ ଗାଡ଼ି ଚାଳକଙ୍କଠାରୁ ସୁରକ୍ଷା ଚିନ୍ତା ଘାରୁଛି। ଏହି ପିଲାମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ସହର ଭିତରେ ବିନା ହେଲମେଟରେ ବାଇକ ଚଲାଇବା, ଭୁଲ୍‌ ରାସ୍ତାରେ ଗାଡ଼ି ଚଲାଇବା, ଦୁଇରୁ ଊଦ୍ଧର୍‌ବ ବାଇକରେ ବସି ଯିବା ଦୃଶ୍ୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। ଏଇ କିଛି ମାସ ପୂର୍ବେ ଗୋଟିଏ ବାଇକରେ ତିନି ଜଣ ଯୁବକ ଯାଉଥିବା ବେଳେ ଅସାବଧାନତା ହେତୁ ଷୋଳମାଇଲି ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହିଭଳି ଦ୍ରୁତଗତିରେ ଗାଡ଼ି ଚଲାଇବା ଓ ବେପରୁଆ ଗାଡ଼ି ଚାଳକଙ୍କ ପାଇଁ ବିଭିନ୍ନ ସମୟରେ ସାଧାରଣ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏଥି ସହ କଲେଜକୁ ବାଇକ୍‌ ନେଇ ଆସୁଥିବା ଛାତ୍ରଙ୍କ ଲାଇସେନ୍ସ ନ ଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ କିମ୍ବା ପୋଲିସ ପକ୍ଷରୁ ଯାଞ୍ଚ କରାଯାଉନାହିଁ। ଟ୍ରାଫିକ ସଚେତନତା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଟ୍ରାଫିକ ସଚେତନତା ସୃଷ୍ଟି ହୋଇପାରୁନାହିଁ। କେତେଜଣ ଅସଚେତନ ଅଭିଭାବକ ନିଜର ବଡ଼ିମା ଦେଖାଇବାକୁ ଯାଇ କିମ୍ବା ଆୟତ୍ତରେ ରଖିବାରେ ଅସମର୍ଥ ହେତୁ ପିଲାଙ୍କ ହାତରେ ବାଇକ୍‌ ଧରାଇ ଦେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ତେବେ ସମ୍ପ୍ରତି ଦ୍ରୁତଗାମୀ ବାଇକ୍‌ ଚାଳନାକୁ ପ୍ରତିହତ ସକାଶେ ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ ବିଭାଗ ସହ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।