Categories: ଜାତୀୟ

ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସରକାରରେ ବିଦ୍ରୋହ: ଦିଲ୍ଲୀରେ ୧୨ବିଧାୟକ

ଅଗରତାଲା, ୧୧।୧୦: ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ସରକାରରେ ବିଦ୍ରୋହ ସୃଷ୍ଟି ହୋଇଛି। ଶାସକଦଳର ୧୨ ଜଣ ଅସନ୍ତୁଷ୍ଟ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ୍‌ କରିବା ଲାଗି ଡେରା ପକାଇ ରହିଛନ୍ତି। ବିଧାୟକମାନେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଅଭିଯୋଗ କରିବାକୁ ଯୋଜନା କରିଛନ୍ତି। ଅସନ୍ତୁଷ୍ଟ ବିଧାୟକଙ୍କୁ କେତେକ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମର୍ଥନ ରହିଥିବା ନେଇ ରାଜ୍ୟରେ ଚର୍ଚ୍ଚା ହେଉଛି। ବିଧାୟକମାନେ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ରହିଥିବା କହିଛନ୍ତି। ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବିପ୍ଲବଙ୍କ କାର୍ଯ୍ୟ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା କୁହାଯାଉଛି। ଇତିମଧ୍ୟରେ ରାଜ୍ୟର ସୂର୍ଯ୍ୟମଣି ନଗର ବିଧାୟକ ରାମ ପ୍ରସାଦ ପାଲ୍‌ ରାଷ୍ଟ୍ରୀୟ ମହାସଚିବ ବି.ଏଲ୍‌. ସନ୍ତୋଷଙ୍କ ସହିତ ସାକ୍ଷାତ୍‌ କରିଛନ୍ତି। ରାମ ପ୍ରସାଦଙ୍କ ପ୍ରତି ୨୫ ଜଣ ବିଧାୟକଙ୍କର ସମର୍ଥନ ଥିବା କୁହାଯାଉଛି। ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ରାମ ପ୍ରସାଦଙ୍କ ସମେତ ସୁଶାନ୍ତ ଚୌଧୁରୀ, ପରିମଳ ଦେବ ବର୍ମା, ଆର୍‌.ସି. ରଙ୍ଖଓ୍ବାଲ, ଆଶିଷ ଦାସ, ଅତୁଲ ଦେବ ବର୍ମା, ବର୍ବ ମୋହନ ତ୍ରିପୁରା ପ୍ରମୁଖ ରହିଛନ୍ତି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାର ୨୦୧୮ ନିର୍ବାଚନରେ ୧୯୯୮ରୁ ଶାସନ କରିଆସୁଥିବା ସିପିଆଇଏମ୍‌ ୫୦ରୁ ୧୬ ସିଟ୍‌କୁ ଖସିଆସିଥିଲା। ଭାଜପା ୩୬ ଓ ଏହାର ସହଯୋଗୀ ଇଣ୍ଡିଜେନସ୍‌ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା ୮ ଆସନ ଦଖଲ କରି ସରକାର ଗଢ଼ିଲେ। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୩୧ ହୋଇଥିବାବେଳେ ଦୁଇ ଦଳର ବିଧାୟକଙ୍କ ସଂଖ୍ୟା ମିଶିଲେ ୪୪ ହେଉଛି। ତେଣୁ ୫ ବର୍ଷ ପାଇଁ ନିରାପଦରେ ଶାସନ କରିବେ ବୋଲି ବିପ୍ଳବ ଦେବ ଧରିନେଇଥିଲେ। ପ୍ରଦର୍ଶନ ଓ ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ ଅପେକ୍ଷା ବିପ୍ଳବ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ନିଜ ବିବାଦୀୟ ମନ୍ତବ୍ୟକୁ ନେଇ। କେତେବେଳେ ବଙ୍ଗାଳୀଙ୍କୁ ବୁଦ୍ଧିଆ ଏବଂ ପଞ୍ଜାବୀ ଓ ଜାଠ୍‌ମାନଙ୍କୁ ସ୍ବଳ୍ପ ମସ୍ତିଷ୍କଧାରୀ ଭାବେ ଅଭିହିତ କରି ବିବାଦୀୟ ହୋଇଛନ୍ତି ତ ପୁଣି କେବେ ମହାଭାରତ ଯୁଗରେ ଭାରତୀୟମାନେ ଇଣ୍ଟରନେଟ ଓ ଆର୍ଟିଫିସିଆଲ ସାଟେଲାଇଟ୍‌ ବ୍ୟବହାର କରୁଥିବା କହି ଚର୍ଚ୍ଚିତ ହୋଇଛନ୍ତି। ସେହି ବିପ୍ଳବ ଦେବଙ୍କୁ ଏବେ ଘେରିଛନ୍ତି ନିଜ ଦଳର ବିଧାୟକ।
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସୁଦୀପ ରାୟ ବର୍ମନଙ୍କ ନେତୃତ୍ୱରେ ଭାଜପାର ୧୨ ଅସନ୍ତୁଷ୍ଟ ଏମ୍‌ଏଲ୍‌ଏ ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଆଶିଷ ଶାହା, ସୁଶାନ୍ତ ଚୌଧୁରୀ ଓ ରାମପ୍ରସାଦ ପାଲ ପ୍ରମୁଖ। ସେମାନେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ବିପ୍ଳବଙ୍କୁ ହଟାଇବା ପାଇଁ ଦାବି କରିବେ।

Share