ବିଭ୍ରାଟ ବଢ଼ାଇଲାଣି ବିଦ୍ରୋହ

ଢେଙ୍କାନାଳ ଅଫିସ, ୧୯।୫: ଦେୟ ଆଦାୟରେ ସାମାନ୍ୟତମ ହେଳା କରୁନାହାନ୍ତି। ମାସ ପୂରିଲା ବେଳକୁ ଦାଣ୍ଡଦୁଆରେ ହାଜର ହୋଇଯାଉଛନ୍ତି। ହିସାବ କରି ସଂଗ୍ରହ କରିନେଉଛନ୍ତି ଟଙ୍କା। ହେଲେ ସେବା କଥା ଉଠିଲେ କର୍ମଚାରୀଙ୍କ ଦେଖାମିଳୁନାହିଁ କି ପଦସ୍ଥ ଅଧିକାରୀ ଉତ୍ତରଦାୟିତ୍ୱ ତୁଲାଉନାହାନ୍ତି। ଫଳରେ ବର୍ଷ ବର୍ଷ ଧରି ବିଦ୍ୟୁତ୍‌ ବିଭ୍ରାଟ, ଲୋ-ଭୋଲ୍‌ଟେଜ୍‌ ସମସ୍ୟାରେ ସନ୍ତୁଳି ହେଉଥିବା ଢେଙ୍କାନାଳ ସହରର ପ୍ରାୟ ୨ ଲକ୍ଷ ଉପଭୋକ୍ତାଙ୍କ ମନରେ ପୁଞ୍ଜୀଭୂତ ଅସନ୍ତୋଷ ବିଦ୍ରୋହର ରୂପ ନେଲାଣି।
ବିଦ୍ୟୁତ୍‌ ବିତରଣ ଦାୟିତ୍ୱ ଟାଟା ପାଓ୍ବାରକୁ ହସ୍ତାନ୍ତର କରାଯିବା ପରେ ଢେଙ୍କାନାଳ ଜିଲା ସମେତ ସହରବାସୀ ଗୁଣାତ୍ମକ ସେବା ପାଇବେ ବୋଲି ଆଶା ବାନ୍ଧିଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସଂଯୋଗ ସ୍ବପ୍ନ ପାଲଟିଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ଏବଂ ଭିତ୍ତିଭୂମି ଅଭାବରୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ଢେଙ୍କାନାଳ ସହରରେ ୧ ଲକ୍ଷ ୮୧ ହଜାର ଏଲ୍‌ଟି ଲାଇନ୍‌ ବିଦ୍ୟୁତ୍‌ ଉପଭୋକ୍ତା ଅଛନ୍ତି। ସେହିପରି ୩ ଫେଜ୍‌ ବିଦ୍ୟୁତ୍‌ ଲାଇନ ଉପଭୋକ୍ତାଙ୍କ ସଂଖ୍ୟା ୬,୦୦୦। ହେଲେ ଏତେ ସଂଖ୍ୟକ ପରିବାରକୁ ନିରବଚ୍ଛିନ୍ନ ସେବା ଯୋଗାଇବାରେ ଏକପ୍ରକାର ବିଫଳ ହୋଇଛି ବିଦ୍ୟୁତ୍‌ ବିତରଣ ସଂସ୍ଥା। ପୌରାଞ୍ଚଳର ୨୩ଟି ୱାର୍ଡରେ ବିଦ୍ୟୁତ୍‌ ସରବରାହଜନିତ ତ୍ରୁଟି ସଜାଡ଼ିବା ଲାଗି ମାତ୍ର ଗୋଟିଏ ଗାଡ଼ି ନିୟୋଜିତ କରାଯାଇଛି। ଏକ ସମୟରେ ଏକାଧିକ ସ୍ଥାନରେ ବିଦ୍ୟୁତ୍‌ ବିଭ୍ରାଟଜନିତ ସମସ୍ୟା ଉପୁଜିଲେ ମରାମତି କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଯାଉଛି। ଏତେବଡ଼ ଅଞ୍ଚଳକୁ ହାତଗଣତି କର୍ମଚାରୀ ସମ୍ଭାଳିବା କଷ୍ଟକର ହୋଇପଡୁଛି। ଅସନ୍ତୁଷ୍ଟ ଉପଭୋକ୍ତାମାନେ ନିଜର ଆକ୍ରୋଶ ଟେଲିଫୋନ୍‌ କରି ଝାଡୁଛନ୍ତି। ଫଳରେ ଦାୟିତ୍ୱରେ ଥିବା କର୍ମଚାରୀ ଗାଳି ଭୟରେ ଟେଲିଫୋନ୍‌ ରିସିଭରକୁ ବାହାରେ ରଖିଦେଉଛନ୍ତି। ଫଳରେ ଜରୁରୀ ସମୟରେ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ। ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବ୍ୟବହାର ବଢ଼ିଛି। ଅଧିକ ସଂଖ୍ୟକ ଏସି ଚାଲୁଛି। ହେଲେ ତଦନୁଯାୟୀ ଟ୍ରାନ୍ସଫର୍ମରଗୁଡ଼ିକୁ ଅପଗ୍ରେଡେଶନ କରାଯାଉନାହିଁ। ଟ୍ରାନ୍ସଫର୍ମର ଉପରେ ଚାପ ବଢ଼ିଲେ ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି। ଖରାଦିନ ପୂର୍ବରୁ ଏ ବିଷୟରେ ସଚେତନ ରହିବାକୁ ସହରବାସୀ ଦାବି କରିଥିଲେ। ତେବେ ବିଭାଗ ପକ୍ଷରୁ ଏହାକୁ ଅତି ହାଲୁକା ଢଙ୍ଗରେ ନିଆଯାଇଥିଲା, ଯାହାର ଫଳ ଏବେ ସହରୀ ଉପଭୋକ୍ତା ଭୋଗୁଥିବା ଆଲୋଚନା ହେଉଛି। ସେହିପରି ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ, ତାର ବିପଦସଙ୍କୁଳ ଅବସ୍ଥାରେ ରହିଛି। ସାମାନ୍ୟ ଝଡ଼ତୋଫାନ ହେଲେ ଅଘଟଣ ଘଟିବା ଆଶଙ୍କାରେ ବିଦ୍ୟୁତ୍‌ କାଟ୍‌ କରାଯାଉଛି। ଏହା ଅନ୍ୟ ଏକ ସମସ୍ୟା ସୃଷ୍ଟି କରିଛି। ଉପଭୋକ୍ତାମାନେ ଠିକ୍‌ ସମୟରେ ଦେୟ ପୈଠ କରୁଥିବା ବେଳେ ସେବା ପ୍ରଦାନରେ ବିଦ୍ୟୁତ୍‌ ବିଭାଗର ଏଭଳି ଚରମ ଅବହେଳାକୁ ନେଇ ଜିଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର ଦାସ ପ୍ରଶ୍ନ ଉଠାଇଛନ୍ତି ା
ଏ ସଂକ୍ରାନ୍ତରେ ଟାଟା ପାୱାର ମ୍ୟାନେଜର ତଥା ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ତାଙ୍କ ମୋବାଇଲ ନଂ. ୭୮୫୩୮୭୬୧୦୦ ଏବଂ ୯୪୩୭୦୧୧୨୯୬ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ସ୍ବପ୍ନସରିତ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସବୁ ସମସ୍ୟାର ସମାଧାନ କରାଯିବ କହି ସେ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଅଧିକାରୀଙ୍କ ଏଭଳି ଉପରଠାଉରିଆ ମନ୍ତବ୍ୟରୁ ବିଦ୍ୟୁତ୍‌ ସେବା ପ୍ରଦାନରେ ସେମାନଙ୍କ ଆନ୍ତରିକତା ସ୍ପଷ୍ଟ ହୋଇଛି। ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେଉଥିବାବେଳେ ତୁରନ୍ତ ଏହାର ସମାଧାନ ନ ହେଲେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି।