ଆବାସ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ବଡ଼ଗାଁ,୧୧ା୮( ଅଶୋକ ଷଡ଼ଙ୍ଗୀ): ଭଙ୍ଗା ଘରେ ରହୁଥିବା କିମ୍ବା ବାସହୀନ ପରିବାରଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆବାସ ଯୋଜନାରେ ପକ୍କାଘର ଦେବା ବ୍ୟବସ୍ଥା କରିଛନ୍ତି। ହେଲେ ପ୍ରକୃତ ହିତାଧିକାରୀ କିଏ ତାହା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିରେ ପଡୁନାହିଁ। ସରକାରୀ କର୍ମଚାରୀ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ଦ୍ୱାରା ଦୀର୍ଘ ବର୍ଷରୁ ଅବହେଳିତ ହୋଇ ଆସୁଛନ୍ତି ପ୍ରକୃତ ହିତାଧିକାରୀ। ଦୀର୍ଘ ବର୍ଷରୁ ଗରିବ ପରିବାର ଭଙ୍ଗା ଦଦରା ଘରେ ଜରି ଢାଙ୍କି ରହୁଥିବାବେଳେ କୋଠାଘରେ ରହୁଥିବା ପରିବାରଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ। ଏଭଳି ଦୃଶ୍ୟ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଫୁଲବାରୀ ପଞ୍ଚାୟତ ବୁଦୁନା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଗୋପାଳ ଟପ୍ପୋ, ସ୍ତ୍ରୀ ଝିଲି ଏବଂ ଗୋଟିଏ ଝିଅ ଓ ପୁଅଙ୍କୁ ନେଇ ପରିବାର। ଗୋପାଳ ଗ୍ୟାରେଜରେ ଦୈନିକ ୩୦୦ ଟଙ୍କା ମଜୁରିରେ କାମକରି ପରିବାର ପ୍ରତିପୋଷଣ କରୁଛନ୍ତି। ଅର୍ଥାଭାବ ଯୋଗୁ ଝିଅ ଯୁକ୍ତ ୨ରୁ ପାଠ ଛାଡ଼ି ଗାଁରେ ସିଲେଇ ଶିଖୁଛନ୍ତି। ଗୋପାଳ ଘରଟିଏ ପାଇବା ପାଇଁ ୧୦ ବର୍ଷ ହେଲା ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କୁ ଜଣାଇ ନିରାଶ ହୋଇଛନ୍ତି। ଚଳିତ ବର୍ଷ ଏହି ପଞ୍ଚାୟତକୁ ପ୍ରଥମ ପର୍ଯ୍ୟାୟରେ ୨୫୦ ଓ ୨ୟ ପର୍ଯ୍ୟାୟରେ ୬୭ ଟିପିଏମ୍‌ ଆବାସ ଯୋଜନାର ଘର ବଣ୍ଟନ କରାଯାଇଛି। ଘର ବଣ୍ଟନ ପୂର୍ବରୁ ଏହି ପରିବାରର ଘର ଜିଓ ଟ୍ୟାଗ୍‌ କରାଯାଇ ଘରର ଫଟୋ ଉଠାଇ କର୍ମଚାରୀମାନେ ନେଇଥିଲେ। ହେଲେ ଏହି ଗ୍ରାମର କୋଠା ଓ ପକ୍କା ଘର ଥିବା ପରିବାରଙ୍କୁ ଦିଆଗଲା ଆବାସ ଯୋଜନାରେ ଘର। ବିଡମ୍ବନାର ବିଷୟ ଏହି ପରିବାକୁ ଘର ଖଣ୍ଡିଏ ମିଳିପାରି ନାହିଁ। ପ୍ରାୟ ସମସ୍ତ ପଞ୍ଚାୟତରେ ଏହିପରି ତ୍ରୁଟିପୂର୍ଣ୍ଣ ଚୟନ କରାଯାଇଛି। ଯେଉଁ କାରଣରୁ ଦୀର୍ଘ ବର୍ଷରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇ ଆସୁଛନ୍ତି। ତେବେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଯୋଗେନ୍ଦ୍ର କିଷାନଙ୍କୁ ପଚାରିବାରୁ, ଆମେ ଯେଉଁ ହିତାଧିକାରୀ ତାଲିକା ଦେଇଥିଲୁ ତାକୁ ଦୃଷ୍ଟି ନ ଦେଇ ସରକାରୀ କର୍ମଚାରୀଙ୍କ ଦ୍ୱାରା ଚୟନ କରାଯାଇଥିଲା। ଅନେକ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇଥିବା ଓ ଏନେଇ ସରପଞ୍ଚ ସଂଘ ପକ୍ଷରୁ ପ୍ରଶାସନକୁ ଜଣାଇଥିଲେ ବୋଲି ସେ କହିଛନ୍ତି।