Categories: ଜାତୀୟ

ଜେଡିୟୁକୁ ସମର୍ଥନ ଦେବାକୁ ଆରଜେଡି ପ୍ରସ୍ତୁତ

ପାଟନା,୮।୮: ବିହାରରେ ଭାଜପା ଓ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଦୁଇ ଦଳ ସରକାରରେ ଥିଲେ ମଧ୍ୟ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏବେ ଦୁଇ ଦଳ ମଧ୍ୟରେ ଏଭଳି ଛକାପଞ୍ଝା ମଧ୍ୟରେ ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଛି ଆରଜେଡି।
ଆରଜେଡି ଜାତୀୟ ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ନୀତିଶ ଭାଜପା ସହ ମେଣ୍ଟ ଭାଙ୍ଗନ୍ତି ତେବେ ତାଙ୍କ ଦଳ ଜେଡିୟୁକୁ ସମର୍ଥନ କରିବାକୁ ପ୍ରସ୍ତୁତ। ବ୍ୟକ୍ତିଗତ ଭାବେ ମୁଁ ଚାଲିଥିବା ଘଟଣା ବିଷୟରେ ଅଧିକ ଅବଗତ ନାହିଁ, କିନ୍ତୁ ଭାଜପା ଏବଂ ଜେଡିୟୁ ମଧ୍ୟରେ କିଛି ଭଲ ଚାଲିନାହିଁ। ବିହାରର ରାଜନୀତି ଯେକୌଣସି ସମୟରେ ବଦଳିଯାଇପାରେ। ଭାଜପା ସହିତ ଲଢିବାକୁ ଆରଜେଡି ପ୍ରତିଶ୍ରୁତିବଦ୍ଧ। ଯଦି ନୀତୀଶ ଏନଡିଏ ଛାଡିବାକୁ ଚାହାଁନ୍ତି, ତେବେ ତାଙ୍କୁ ଆଲିଙ୍ଗନ କରିବା ବ୍ୟତୀତ ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ।
ନୀତୀଶ କୁମାର ମଙ୍ଗଳବାର ଜେଡିୟୁର ସମସ୍ତ ବିଧାୟକ ଓ ଏମ୍‌ପିଙ୍କ ବୈଠକ ଡାକିଛନ୍ତି। ସମ୍ଭବତଃ ଏହି ବୈଠକରେ ଜେଡିୟୁର ପରବର୍ତ୍ତୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁର ଜଣେ ମାତ୍ର ସଦସ୍ୟଙ୍କୁ ମନ୍ତ୍ରୀ କରାଯିବ ବୋଲି ଭାଜପା ପ୍ରସ୍ତାବ ଦେଇଥିଲା। ନୀତିଶ କୁମାର ଭାଜପାର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। କିନ୍ତୁ ଜେଡିୟୁର ଅନ୍ୟତମ ବରିଷ୍ଠ ନେତା ଆରସିପି ସିଂହ ଭାଜପାର ପ୍ରସ୍ତାବକୁ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ହେଲେ ତାଙ୍କର ରାଜ୍ୟ ସଭା କାର୍ଯ୍ୟକାଳ ପୂରଣ ହୋଇଯିବାରୁ ଜେଡିୟୁ ତାଙ୍କୁ ଆଉ ଥରେ ପ୍ରାର୍ଥୀ କରି ନ ଥିଲା। ଫଳରେ ସେ ଗଥ ଶନିବାର ଦଳରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ଆରସିପି ସିଂ ନୀତିଶ କୁମାରଙ୍କୁ ସମାଲୋଚନା କରି ସାତ ଜନ୍ମ ଚାଲିଗଲେ ସେ ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ। ଜେଡିୟୁ ଗୋଟିଏ ବୁଡାଜାହାଜ ବୋଲି କହିଥିଲେ। ଆରସିପି ସିଂଙ୍କ ଇସ୍ତାଫା ହିଁ ଭାଜପା ଏବଂ ଜେଡିୟୁ କଳିର ମୁଖ୍ୟ କାରଣ ବୋଲି କୁହାଯାଉଛି।

 

Share