ମୌସୁମୀ ଅଧିବେଶନ ଲାଗି ଶାସକ-ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭାରେ ବିରୋଧୀ ଭାଜପା ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେଡିକୁ ଟାର୍ଗେଟ କରିବେ। ଆସନ୍ତା ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ କଂଗ୍ରେସ ମଧ୍ୟ ବୈଠକ କରିବ। କଂଗ୍ରେସ ରାଜ୍ୟ ପ୍ରଭାରୀ ଏ.ଚେଲାକୁମାର ସାମିଲ ହେବେ। ବିରୋଧୀଙ୍କୁ ମୁକାବିଲା କରିବା ଲାଗି ଶାସକ ବିଜେଡି ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରୁଛି। ଆସନ୍ତା ୩୧ ତାରିଖ ସା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସିବ।
ଭାଜପା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଶାସକ ଦଳର ବିଭିନ୍ନ ପ୍ରକାର ଦୁର୍ନୀତି ଓ ଅସଫଳତା ଗୃହରେ ଉଠାଯିବ। ମୁଖ୍ୟତଃ ଚାଷୀ ସମସ୍ୟା, ମରୁଡି ପ୍ରସଙ୍ଗ, ଆଦିକୁ ନେଇ ଶାସକ ଦଳଠାରୁ ଉତ୍ତର ମଗାଯିବ। ସେହିପରି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗ ରହିଛି। ଚାଷୀ ସମସ୍ୟା ସବୁଆଡେ ବ୍ୟାପକ ହେବାରେ ଲାଗିଛି। ଆଇନ ଶୃଙ୍ଖଳା ପରିସ୍ଥିତି, ମରୁଡି ସମସ୍ୟା ନେଇ ଶାସକ ଦଳକୁ ଘେରିବା ଲାଗି କଂଗ୍ରେସ ଯୋଜନା କରୁଛି ।
ଶାସକ ଦଳ ବିଧାୟକ କିଶୋର ମହାନ୍ତି କହିଛନ୍ତି, ସେମାନଙ୍କ ନିକଟରେ ବିରୋଧ କରିବା ଭଳି କିଛି ବିଶେଷ ତଥ୍ୟ ନାହିଁ। ୨ରୁ ୩ ଦିନ ବିଧାନସଭା ବନ୍ଦ କରିବା ଛଡା କିଛି କରିପାରିବେ ନାହିଁ। ଅନେକ ପ୍ରସଙ୍ଗ ଅଛି, ଶାସକ ଦଳ ମଧ୍ୟ ଉତ୍ତର ରଖିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।