ଗଛମୂଳେ ଚାଲିଛି ପାଠପଢ଼ା

ପଦ୍ମପୁର, ୨୩।୭ (ଡି.ଏନ.ଏ.)

ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ। ଆବଶ୍ୟକ ଅନୁଯାୟୀ ଶ୍ରେଣୀଗୃହ ନ ଥିବାରୁ କୁନି କୁନି ଛାତ୍ରୀଛାତ୍ର ଗଛ ମୂଳେ ବସି ପାଠ ପଢୁଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲାରେ ସପ୍ତାହେ ଧରି ଲଘୁଚାପଜନିତ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ କୋହଲା ପବନ ସହ ବିଜୁଳି ଘଡ଼ଘଡ଼ି ମାରୁଛି। ଏପରି ସ୍ଥିତିରେ ଅସୁରକ୍ଷିତ ଭାବେ ପିଲାମାନଙ୍କୁ ବାହାରେ ପଢ଼ାଯିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୩୨୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ନିଜସ୍ବ ୨ଟି ଶ୍ରେଣୀଗୃହ ଥିବାବେଳେ ଅନ୍ୟ ଦୁଇଟି ମରାମତି ଚାଲିଛି। ଫଳରେ ୨ଟି ଶ୍ରେଣୀଗୃହରେ ସମସ୍ତ ଛାତ୍ରୀଛାତ୍ର ବସିବା ସମ୍ଭବପର ହେଉନାହିଁ। ଶ୍ରେଣୀଗୃହ ଅଭାବ ଯୋଗୁ କେବେ ପିଲା ଗଛ ମୂଳେ ତ କେବେ ବିଦ୍ୟାଳୟ ବାରଣ୍ଡାରେ ବସି ପଢୁଛନ୍ତି। ଏନେଇ ଅଭିଯୋଗ ହେବା ପରେ ଗତ ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧି ବିଦ୍ୟାଳୟକୁ ଯିବାରୁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିଥିଲା। ୩ଟି ଶ୍ରେଣୀର ପିଲାଙ୍କୁ ନେଇ ଗଛମୂଳେ ପାଠପଢ଼ା ଚାଲିଥିଲା। ସପ୍ତମର ୪୮, ଦ୍ୱିତୀୟର ୪୦ ଓ ତୃତୀୟ ଶ୍ରେଣୀର ୨୫ଜଣ ଛାତ୍ରୀଛାତ୍ର ଝିପିଝିପି ବର୍ଷାରେ ବି ବାହାରେ ପଢ଼ୁଥିଲେ। ପ୍ରଥମ ଶ୍ରେଣୀର ପିଲାଙ୍କୁ ବାରଣ୍ଡାରେ ବସାଇ ପାଠ ପଢ଼ା ଯାଉଥିଲା। ଗତ କିଛିଦିନ ଧରି ଏଭଳି ଭାବେ ଶିକ୍ଷାଦାନ କରାଯାଉଥିବା ଜଣାପଡ଼ିଛି। ବିଦ୍ୟାଳୟ ବନ୍ଦ ଥିବାବେଳେ ମରାମତି କରା ନ ଯାଇ ବର୍ଷାଦିନେ କାହା ସ୍ବାର୍ଥରେ ମରାମତି କରାଯାଉଛି ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ସିଆର୍‌ସିସି ଗୋରାଚାନ୍ଦ ମାଝି କହିଛନ୍ତି, ମରାମତି ପରେ ଆଉ ଦୁଇଟି ଶ୍ରେଣୀଗୃହ ଛାତ୍ରୀଛାତ୍ରଙ୍କ ପାଠପଢ଼ା ପାଇଁ ଉପଲବ୍ଧ ହେବ। ତେବେ ପୁରୁଣା ଗୃହ ଛାତ ମରାମତି ନିମନ୍ତେ ଶିକ୍ଷା ବିଭାଗ ପକ୍ଷରୁ ପରିଚାଳନା କମିଟିକୁ ଅର୍ଥ ମଞ୍ଜୁର କରାଯାଇଥିବା ବେଳେ କିଛି ବିବାଦ ଉପୁଜିଥିବାରୁ ମରାମତି କରାଯାଇପାରି ନାହିଁ।