ଖୋଲା ଆକାଶ ତଳେ ପିଲାଙ୍କ ପାଠପଢ଼ା

ଦଶପଲ୍ଲା,୧୯ା୮( ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଜାମେଣ୍ଡି ପଞ୍ଚାୟତ କୁମ୍ବିକିଲା ଗ୍ରାମରେ ରହିଛି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଏହି ସ୍କୁଲ ସାମିଲ ହୋଇପାରିନାହିଁ । ଫଳରେ ଛାତ୍ରୀଛାତ୍ରମାନେ ଗଛ ତଳେ କିମ୍ବା ଖୋଲା ଆକାଶ ତଳେ ବସି ପାଠ ପଢ଼ୁଛନ୍ତି । ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ୨୦୦୭ରେ ନିର୍ମାଣ କରାଯାଇଥିଲା । ହେଲେ ନିମ୍ନମାନର କାମ ହୋଇଥିବାରୁ କାନ୍ଥ ଫାଟି ଆଁ କରିଛି । କାନ୍ଥ ଓ ଛାତର ପ୍ଲାଷ୍ଟର ଛାଡ଼ି ପାଣି ଗଳୁଛି । ୨ଟି ଶ୍ରେଣୀଗୃହ ଥିଲେ ମଧ୍ୟ ଗୋଟିଏ ଗୃହର କବାଟ ଝରକା ନାହିଁ। ସ୍କୁଲ ପରିଚାଳନା କମିଟି ସଭାପତି ନୀଳକଣ୍ଠ ପ୍ରଧାନ ଓ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ମଲିକ ଶ୍ରେଣୀ ଗୃହ ଅବସ୍ଥା ଦେଖି ବାହର ପିଣ୍ଡିରେ ପିଲାଙ୍କୁ ବସାଇ ପାଠ ପଢ଼ାଉଥିଲେ । କିନ୍ତୁ ଲଗାଣ ବର୍ଷାରେ ପିଲରରୁ ସିମେଣ୍ଟ ପ୍ଲାଷ୍ଟର ଛାଡ଼ି ଯିବା ଯୋଗୁ ଏବେ ପିଲାମାନେ ଗଛ ମୂଳେ ପାଲ ପକାଇ ପଢ଼ୁଛନ୍ତି । ସଭାପତି ଓ ଗ୍ରାମର ୱାଡ଼ ମେମ୍ବର ନକୁଳ ପ୍ରଧାନ ସମେତ ଗ୍ରାମବାସୀ ନୟାଗଡ ଜିଲା ପ୍ରଶାସନ ଏଂ ଶିକ୍ଷା ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ ମଧ୍ୟ କୋଣସି ପ୍ରତିକାର ହୋଇ ପାରିନାହିଁ ।