ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ପଢ଼ାପଢ଼ି କରନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ। ଏକ ସର୍ଭେରୁ ସେମାନେ ଏପରି ତଥ୍ୟ ଜାଣିବାକୁ ପାଇଛନ୍ତି। ପ୍ରତିଦିନ କିଛି ସମୟ ପଢ଼ିବା କିମ୍ବା ବହି ସହ ନିଜକୁ ଯୋଡ଼ି ରଖିବା ଦ୍ବାରା ଆମଠାରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍ରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଜୀବନଯାପନ କରିବାକୁ କୁହାଯାଇଥିବା ବେଳେ ଅନ୍ୟ ଗ୍ରୁପ୍ ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ପ୍ରତିଦିନ କିଛି ସମୟ ପଢ଼ାପଢ଼ି କରିବାକୁ ପରାମର୍ଶ ଦିଆଯାଇଥିଲା। କିଛି ସପ୍ତାହ ପରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ମାନସିକତା ଉପରେ ପଡ଼ୁଛି ତାହାକୁ ଲକ୍ଷ୍ୟ କରାଯାଇଥିଲା। ନିୟମିତ କିଛି ସମୟ ପଢୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଛି ଜଣଙ୍କର କାର୍ଯ୍ୟଦକ୍ଷତା ବଢ଼ଛି। ଆଗ୍ରହର ସହ ସେମାନେ ସମସ୍ତ କାର୍ଯ୍ୟକୁ କରୁଛନ୍ତି ବୋଲି ଉକ୍ତ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।