Categories: ଜାତୀୟ

ରାଇନାଙ୍କ ସମ୍ପର୍କୀୟଙ୍କ ସାହାଯ୍ୟ ପାଇଁ ପହଞ୍ଚିଲେ ସୋନୁ ସୁଦ

ଲକ୍ଷ୍ନୌ, ୬ା୫ : ସମ୍ପର୍କୀୟ ମାଉସୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ଅବସରପ୍ରାପ୍ତ କ୍ରିକେଟର ତଥା ସିଏସ୍‌କେ ବ୍ୟାଟ୍ସମ୍ୟାନ ସୁରେଶ ରାଇନା। ତାଙ୍କ ସମ୍ପର୍କୀୟଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇଥିଲେ ଅଭିନେତା ସୋନୁ ସୁଦ।

ରାଇନା ଗୁରୁବାର ଅପରାହ୍ନ ୩ଟା ବେଳେ ଟୁଇଟ୍‌ କରି ଲେଖିଥିଲେ, ମିରଟରେ ମୋ ମାଉସୀଙ୍କ ପାଇଁ ତୁରନ୍ତ ଅକ୍ସିଜେନ ସିଲିଣ୍ଡର ଦରକାର। ପୋଷ୍ଟରେ ସମ୍ପର୍କୀୟଙ୍କ ସମସ୍ତ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ କରିଥିଲେ। ଏହାକୁ ରିଟୁଇଟ୍‌ କରି ବଲିଉଡ୍‌ ଆକ୍ଟର ଲେଖିଥିଲେ, ”ଭାଇ ସମ୍ପୂର୍ଣ୍ଣ ତଥ୍ୟ ପଠାଅ। ଆମେ ସିଲିଣ୍ଡର ପଠାଇଦେବୁ “। ଏହାର ପରବର୍ତ୍ତୀ ଟୁଇଟ୍‌ରେ ୧୦ ମିନିଟ୍‌ରେ ଅକ୍ସିଜେନ ପହଞ୍ଚୁଥିବା ସୂଚନା ଦେଇଥିଲେ ସୋନୁ।

କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ବଲିଉଡ୍‌ ଆକ୍ଟରଙ୍କ ସୁଦ’ସ ଫାଉଡେଶନ ନିକଟରେ ବେଙ୍ଗାଲୁରୁକୁ ଅକ୍ସିଜେନ ଯୋଗାଇ ବହୁ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ୨୦ରୁ ୨୨ ଜଣଙ୍କ ଜୀବନ ସଙ୍କଟରେ ଥିବା ନେଇ ସୁଦଙ୍କ ଟିମ୍‌କୁ ଏସ୍‌ଓଏସ୍‌ କଲ କରିଥିଲା ବେଙ୍ଗାଲୁରୁର ଏଆର୍‌ଏକେ ହସ୍ପିଟାଲ। କିଛି ଘଣ୍ଟା ମଧ୍ୟରେ ସାହାଯ୍ୟ ପହଞ୍ଚାଇଥିଲା ସୁଦ’ସ ଫାଉଣ୍ଡେଶନ। ଫଳରେ ବଞ୍ଚି ଯାଇଥିଲା ସେମାନଙ୍କ ଜୀବନ।

Share