Categories: ଖେଳ

ଲଗାତର ୪ ମ୍ୟାଚ୍‌ ପରାଜୟ ସତ୍ତ୍ୱେ କେମିତି ଫ୍ଲେ-ଅଫ୍‌ରେ ପହଞ୍ଚିଲା ବେଙ୍ଗାଲୁରୁ, ଜାଣନ୍ତୁ ପୂରା ଗଣିତ

ଦୁବାଇ,୩।୧୧:ଆଇପିଏଲ ୨୦୨୦ ରେ ପ୍ଲେ ଅଫ ଯୋଗ୍ୟତା ପାଇଁ ଆଉ ମାତ୍ର ଗୋଟିଏ ଲିଗ୍‌ ମ୍ୟାଚ୍‌ ବାକି ଅଛି। ତେବେ ସୋମବାର ଆବୁଧାବିରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଲିଗ୍‌ର ୫୫ ତମ ମ୍ୟାଚ୍‌ରେ ଦିଲ୍ଲୀଠାରୁ ପରାଜୟ ସତ୍ତ୍ୱେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ପ୍ଲେ ଅଫ୍କକୁ ଉନ୍ନୀତ ହୋଇଛି। କ୍ରମାଗତ ୪ଟି ମ୍ୟାଚ ହାରିବା ସତ୍ତ୍ୱେ ବେଙ୍ଗାଲୁରୁ ପ୍ଲେଅଫ୍କୁ ଯୋଗ୍ୟତା ଅର୍ଜନ କରିଛି। ପଏଣ୍ଟ ଅନୁଯାୟୀ ଉଭୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକତା ନାଇଟ୍‌ ରାଇଡର୍ସ ୧୪-୧୪ ମ୍ୟାଚ ଖେଳିବା ପରେ ୧୪ ପଏଣ୍ଟ ପାଇଛନ୍ତି। କିନ୍ତୁ ରନରେଟ ଦୃଷ୍ଟିରୁ ବେଙ୍ଗାଲୁରୁ ଦଳ କେକେଆର୍‌ ଅପେକ୍ଷା ଭଲ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମ୍ୟାଚ୍‌ରେ ଦିଲ୍ଲୀ ୧୯ ଓଭରରେ ଆରସିବି ଦେଇଥିବା ୧୫୩ ରନ ଲକ୍ଷ୍ୟ ହାସଲ କରିଥିଲା। କିନ୍ତୁ ଯଦି ବେଙ୍ଗାଲୁରୁ ଦଳ ଏଠାରେ ୧୭.୩ ଓଭର ପୂର୍ବରୁ ହାରିଥାନ୍ତା, ତେବେ କେକେଆର ତୁଳନାରେ ସେମାନଙ୍କ ରନରେଟ ଖରାପ ହୋଇଥାନ୍ତା। ଏବେ ବେଙ୍ଗାଲୁରୁର -୦.୧୭୨ ରନରେଟ୍‌ ଏବଂ କେକେଆର୍‌ର -୦.୨୧୪ ରହିଛି। ଏଥି ସହିତ କୋଲକାତାର ପ୍ଲେ ଅଫ ଆଶା ଅକ୍ଷୁର୍ଣ୍ଣ ରହିଛି। ଦଳ ଏବେ ହାଇଦ୍ରାବାଦ ଏବଂ ମୁମ୍ବାଇ ମଧ୍ୟରେ ମ୍ୟାଚ ଫଳାଫଳକୁ ଅପେକ୍ଷା କରିଛି। ଏହି ମ୍ୟାଚ୍‌ରେ ଯଦି ହାଇଦ୍ରାବଦ୍‌ ଜିତେ ତେବେ କେକେଆର୍‌ର ପ୍ଲେ-ଅଫ୍‌ ଖେଳିବା ଆଶା ମଉଳିଯିବ।

Share