ନୂଆଦିଲ୍ଲୀ,୨୭ା୪:ବେଙ୍ଗାଲୁରୁରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାଜୟର ପ୍ରତିଶୋଧ ଦିଲ୍ଲୀରେ ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ଜୋଶ୍ ହାଜେଲଉଡ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ପରେ ଦେବଦତ୍ତ ପଡିକାଲଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ଆରସିବି ୯ ଉଇକେଟରେ ଦିଲ୍ଲୀକୁ ପରାସ୍ତ କରିଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦିଲ୍ଲୀ ଦଳ ୧୬.୩ ଓଭରରେ ମାତ୍ର ୭୫ ରନକରି ଅଲ୍ଆଉଟ ହୋଇଥିଲା। ଜବାବରେ ଆରସିବି ୬.୩ ଓଭରରେ ମାତ୍ର ୧ ଉଇକେଟ ହରାଇ ୭୭ ରନ ସଂଗ୍ରହ କରି ନେଇଥିଲା। ଜ୍ୟାକବ ବେଥେଲ ୨୦ ରନକରି ଆଉଟ ହୋଇଥିବାବେଳେ ପଡିକାଲ ୧୩ ବଲ୍ରୁ ୩୪ (୩ ଚୌକା, ୩ ଛକା) ଓ ବିରାଟ କୋହଲି ୨୩ ରନରେ ଅପରାଜିତ ରହି ମ୍ୟାଚ ଫିନିଶ୍ କରିଥିଲେ। ଏଥିସହ କୋହଲି ଆଇପିଏଲ୍ରେ ୯୦୦୦ ରନ ପୂରଣ କରିଥିଲେ। ବୃହତ୍ ବିଜୟ ସହ ଆରସିବିର ରନହାରରେ ମଧ୍ୟ ବଡ଼ ଉନ୍ନତି ଘଟିଛି।
ଜିତି ଆର୍ସିବି ଅଧିନାୟକ ରଜତ ପଟିଦାର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ଭୁବି ଓ ହାଜେଲଉଡ୍ଙ୍କ ପେସ ଯୋଡ଼ି ସଠିକ ସାବ୍ୟସ୍ତ କରିଥିଲା। ଦୁହେଁ ଦିଲ୍ଲୀର ବ୍ୟାଟିଂ ଲାଇନ୍ଅପ୍କୁ ଧ୍ୱଂସ କରି ଦେଇଥିଲେ। ଘରୋଇ ଦଳ ୪ ଓଭର ମଧ୍ୟରେ ୮ ରନରେ ୬ ଉଇକେଟ ହରାଇଥିଲା। ଏପରିକି ଦଳ ପ୍ରଥମ ୬ ଓଭର ସୁଦ୍ଧା ୬ ଉଇକେଟ ହରାଇ ମାତ୍ର ୧୩ ରନ କରିଥିଲା, ଯାହାକି ଆଇପିଏଲ୍ ଇତିହାସରେ ସର୍ବନିମ୍ନ ପାଓ୍ବାରପ୍ଲେ ସ୍କୋର। ଦୁଇ ପେସର ପାଓ୍ବାରପ୍ଲେରେ ୩ ଲେଖାଏ ଉଇକେଟ ନେଇଥିଲେ। ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ପାଓ୍ବାରପ୍ଲେ ମଧ୍ୟରେ ଦୁଇ ବୋଲର ୩ ଲେଖାଏ ଉଇକେଟ ହାତେଇଥିଲେ। ଏହାପରେ ଡେଭିଡ୍ ମିଲର (୧୯ ରନ, ୩ ଚୌକା) ଓ କାଏଲ ଜେମିସନ (୧୨ ରନ, ୧ ଲେଖାଏ ଚୌକା ଓ ଛକା)ଙ୍କ ସହ ମିଶି ଅଭିଷେକ ପୋରେଲ ଦଳୀୟ ସ୍କୋରକୁ ୫୦ ପାର କରାଇଥିଲେ। ପୋରେଲ ୧୭ତମ ଓଭରରେ ଅନ୍ତିମ ବ୍ୟାଟର ଭାବେ ୩୩ ବଲରେ ୩୦ (୩ ଚୌକା) କରି ଆଉଟ୍ ହୋଇଥିଲେ।