ନୂଆଦିଲ୍ଲୀ,୨୯।୬: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପୋଷ୍ଟର ସେୟାର କରାଯାଇଛି। ଏହି ପୋଷ୍ଟରରେ ‘ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର’ର ଲୋଗୋ ରହିଛି। ପୋଷ୍ଟରରେ ଦାବି କରାଯାଇଛି ଯେ, ୧ ଜୁଲାଇ ୨୦୨୬ରୁ ୧୦, ୨୦, ୫୦ ଏବଂ ୧୦୦ ଟଙ୍କିଆ କାଗଜ ନୋଟ୍ ବନ୍ଦ ହୋଇଯିବ। ତେବେ ସବୁ ନୋଟ୍ ନୁହେଁ, ବରଂ ୨୦୦୫ ମସିହା ପୂର୍ବରୁ ପ୍ରିଣ୍ଟ ହୋଇଥିବା ପୁରୁଣା ନୋଟଗୁଡ଼ିକ ବ୍ୟାନ୍ ହେବ ବୋଲି ଏଥିରେ କୁହାଯାଇଛି।
ପୋଷ୍ଟରରେ ଏହା ମଧ୍ୟ ଦାବି କରାଯାଇଛି ଯେ, କାଗଜର ପୁରୁଣା ନୋଟ୍ ବନ୍ଦ କରିବାର ଏହି ନିଷ୍ପତ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ଅଟେ ଏବଂ ଏହା ଆଧିକାରିକ ଭାବେ ମାନ୍ୟ ଅଟେ। ଏହି ପୋଷ୍ଟକୁ ଲକ୍ଷ ଲକ୍ଷ ଲୋକ ସେୟାର, ଲାଇକ୍ ଏବଂ କମେଣ୍ଟ କରିଛନ୍ତି, କିନ୍ତୁ କେନ୍ଦ୍ର ସରକାର ଏବଂ ପିଆଇବି (PIB) ଏହାର ଫ୍ୟାକ୍ଟ ଚେକ୍ (ସତ୍ୟାସତ୍ୟ ଯାଞ୍ଚ) କରି ପ୍ରକୃତ ସଚ୍ଚୋଟତା ସାମ୍ନାକୁ ଆଣିଛନ୍ତି।
କେନ୍ଦ୍ର ସରକାରଙ୍କ ସ୍ୱୀକୃତିପ୍ରାପ୍ତ ସଂସ୍ଥା PIB ର ଫ୍ୟାକ୍ଟ ଚେକ୍ରୁ ଜଣାପଡ଼ିଛି ଯେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା। PIB ର X (ଟ୍ୱିଟର) ଆକାଉଣ୍ଟରେ ଏହି ପୋଷ୍ଟରକୁ ନକଲି ବୋଲି କୁହାଯିବା ସହ ସୂଚନା ଦିଆଯାଇଛି ଯେ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ନାଁରେ ଭାଇରାଲ ହେଉଥିବା ନୋଟିସଟି ଜାଲ୍ ଅଟେ ଏବଂ ଏହାର ଦାବିଗୁଡ଼ିକ ଭୁଲ୍। ବ୍ୟାଙ୍କ ତରଫରୁ ଏଭଳି କୌଣସି ନୋଟିସ୍ ଜାରି କରାଯାଇ ନାହିଁ।
ସୋସିଆଲ ମିଡିଆରେ କିଛି ଗଣମାଧ୍ୟମ ରିପୋର୍ଟର ଦେଇ ପଲିମର ଅର୍ଥାତ୍ ପ୍ଲାଷ୍ଟିକ ନୋଟ୍ର ପ୍ରଶଂସା କରାଯାଉଛି। ପ୍ଲାଷ୍ଟିକ ନୋଟଗୁଡ଼ିକ କାଗଜ ନୋଟ୍ ତୁଳନାରେ ଅଧିକ ସ୍ଥାୟୀ ବୋଲି କୁହାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ ପ୍ଲାଷ୍ଟିକ ନୋଟ୍ ଶୀଘ୍ର ଚିରିଯାଏ ନାହିଁ କିମ୍ବା ନଷ୍ଟ ହୁଏନାହିଁ ଏବଂ ଏହାର ନକଲ କରିବା ବା ଜାଲ୍ ନୋଟ୍ ପ୍ରସ୍ତୁତ କରିବା ଅତ୍ୟନ୍ତ କଷ୍ଟକର।