ବିନା ବ୍ୟାଙ୍କ ଖାତାରେ ବି ପେମେଣ୍ଟ କରିପାରିବେ ୫୦ ହଜାର ପର୍ଯ୍ୟନ୍ତ ଟଙ୍କା; ଜାଣନ୍ତୁ କେମିତି?

ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ବ୍ୟାଙ୍କ ଖାତା ନାହିଁ, ତେବେ ମଧ୍ୟ ଆପଣଙ୍କୁ ଟଙ୍କା ପାଇବାରେ କୌଣସି ଅସୁବିଧା ହେବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ RBI ଟଙ୍କା ପଠାଇବା ଏବଂ ପାଇବା ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକ ୧୧ ନଭେମ୍ୱର 2026 ରୁ ଲାଗୁ ହୋଇସାରିଛି। ଏହି ପରିବର୍ତ୍ତନର ସବୁଠାରୁ ବଡ଼ ଲାଭ ସେହି ଲୋକମାନଙ୍କୁ ମିଳିବ, ଯାହାଙ୍କର ବ୍ୟାଙ୍କ ଖାତା ନାହିଁ କିମ୍ୱା ଯାହାଙ୍କ ପାଖରେ ଆଧାର, ପାନ ପରି ସମସ୍ତ କାଗଜପତ୍ର ନାହିଁ। ଯେପରିକି ମଜୁରିଆ, ଦୈନନ୍ଦିନ ମଜୁରିରେ କାମ କରୁଥିବା ଲୋକ ଏବଂ ଅନ୍ୟ ସହରରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ। ବର୍ତ୍ତମାନ ସେହି ଲୋକମାନେ ମଧ୍ୟ ସହଜରେ ନିଜ ଘରକୁ ଟଙ୍କା ପଠାଇ ପାରିବେ ଏବଂ ଘର ଲୋକମାନେ ମଧ୍ୟ ସହଜରେ ଟଙ୍କା ପାଇପାରିବେ। ବର୍ତ୍ତମାନ ବ୍ୟାଙ୍କରେ ଖାତା ରହିବା ଜରୁରୀ ନୁହେଁ। ପୂର୍ୱରୁ ଟଙ୍କା ପଠାଇବା ପାଇଁ ବ୍ୟାଙ୍କ ଖାତା ରହିବା ଅତ୍ୟନ୍ତ ଜରୁରୀ ଥିଲା। କିନ୍ତୁ ବର୍ତ୍ତମାନ ସେଭଳି ନାହିଁ। RBI ଡୋମେଷ୍ଟିକ ମନି ଟ୍ରାନ୍ସଫର୍‌ (Domestic Money Transfer) ବା DMT ର ନିୟମ ବଦଳାଇ ଦେଇଛି। ବର୍ତ୍ତମାନ ଖାତା ନଥିବା ବ୍ୟକ୍ତି ମଧ୍ୟ ଟଙ୍କା ଦେଣ-ନେଣର ଅଂଶବିଶେଷ ହୋଇପାରିବେ। ଏଥିପାଇଁ RBI ୨ଟି ନୂତନ ସୁବିଧା ଆରମ୍ଭ କରିଛି। ପ୍ରଥମଟି ହେଲା କ୍ୟାସ ପେ-ଇନ (Cash Pay-in) ଏବଂ ଦ୍ୱିତୀୟଟି ହେଲା କ୍ୟାସ ପେ-ଆଉଟ (Cash Pay-out)।

ଧରି ନିଅନ୍ତୁ ଯେ ଆପଣାକୁ କାହା ପାଖକୁ ଟଙ୍କା ପଠାଇବାର ଅଛି, କିନ୍ତୁ ସେହି ବ୍ୟାଙ୍କରେ ଆପଣଙ୍କର ଖାତା ନାହିଁ। ତଥାପି ଆପଣ ଟଙ୍କା ପଠାଇ ପାରିବେ। ଆପଣଙ୍କୁ କେବଳ ଯେକୌଣସି ବ୍ୟାଙ୍କର ଶାଖାକୁ ଯିବାକୁ ପଡ଼ିବ। ସେଠାରେ କ୍ୟାସ (ନଗଦ) ଜମା କରିବାକୁ ପଡ଼ିବ। ବ୍ୟାଙ୍କ ଆପଣଙ୍କ କ୍ୟାସକୁ NEFT ଜରିଆରେ ସାମ୍ନା ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ପଠାଇଦେବ। ଏଥିରେ ଥରକେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ପଠାଯାଇପାରିବ। ସବୁଠାରୁ ଭଲ କଥା ହେଲା ଯେ ଏଥିପାଇଁ ସେହି ବ୍ୟାଙ୍କର ଗ୍ରାହକ ହେବା ଜରୁରୀ ନୁହେଁ। ଆପଣ ଯେକୌଣସି ବ୍ୟାଙ୍କକୁ ଯାଇ ଟଙ୍କା ପଠାଇ ପାରିବେ।

ଏହି ସୁବିଧା ସେହି ଲୋକମାନଙ୍କ ପାଇଁ ଅଟେ, ଯାହାଙ୍କର ବ୍ୟାଙ୍କ ଖାତା ହିଁ ନାହିଁ। ଧରି ନିଅନ୍ତୁ ଆପଣଙ୍କ ପୁଅ ସହରରୁ ଟଙ୍କା ପଠାଇଛନ୍ତି, କିନ୍ତୁ ଗାଁରେ ଆପଣଙ୍କ ପାଖରେ ବ୍ୟାଙ୍କ ଖାତା ନାହିଁ। ତଥାପି ଆପଣଙ୍କୁ ଟଙ୍କା ମିଳିଯିବ। ବ୍ୟାଙ୍କ ଆପଣଙ୍କ ପୁଅଙ୍କ ଖାତାରୁ ଟଙ୍କା କାଢ଼ି ଆପଣଙ୍କୁ କ୍ୟାସରେ ଦେଇଦେବ। ଆପଣ ଏହି କ୍ୟାସ ଏଟିଏମ (ATM) ରୁ କିମ୍ୱା ନିଜ ଅଞ୍ଚଳର ବିଜନେସ କରସ୍ପୋଣ୍ଡେଣ୍ଟ (Business Correspondent) ବା BC ରୁ ନେଇପାରିବେ। ବିଜନେସ କରସ୍ପୋଣ୍ଡେଣ୍ଟ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଗାଁ କିମ୍ୱା ମହଲାରେ ବ୍ୟାଙ୍କ ପକ୍ଷରୁ ଟଙ୍କା ଦେବାର କାମ କରିଥାଆନ୍ତି।

RBI ସୁରକ୍ଷା ଦୃଷ୍ଟିରୁ କିଛି ସୀମା ମଧ୍ୟ ସ୍ଥିର କରିଛି, ଯାହାଦ୍ୱାରା ଭୁଲ କାମ ନ ହେଉ। ଥରକେ ସର୍ୱାଧିକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସରେ ମିଳିବ। ଗୋଟିଏ ମାସରେ ମୋଟ ଉପରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ହିଁ କ୍ୟାସରେ ନେଇପାରିବେ। ଟଙ୍କା ପଠାଉଥିବା ବ୍ୟକ୍ତି ଥରକେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ ଜମା କରି ପଠାଇ ପାରିବେ। ଏହି ସୀମା ଏଥିପାଇଁ ରଖାଯାଇଛି, ଯେପରି ଟଙ୍କା ସଠିକ ହାତରେ ପହଞ୍ଚିବ ଏବଂ କୌଣସି ପ୍ରକାର ଠକେଇ ନ ହେବ।

ପ୍ରବାସୀ ଶ୍ରମିକମାନଙ୍କୁ ସବୁଠାରୁ ଅଧିକ ଲାଭ ମିଳିବ, ଯାାନେ ଅନ୍ୟ ସହରରେ କାମ କରନ୍ତି ଏବଂ ଘରକୁ ଟଙ୍କା ପଠାନ୍ତି। ଦୈନନ୍ଦିନ ମଜୁରିଆମାନଙ୍କୁ ମଧ୍ୟ ଏହାର ଲାଭ ମିଳିବ, ଯାହାଙ୍କର ବ୍ୟାଙ୍କ ଖାତା ନାହିଁ କିମ୍ୱା ଯେଉଁମାନେ ବ୍ୟାଙ୍କ ଯାଇପାରନ୍ତି ନାହିଁ। ଦ୍ୱିତୀୟରେ ଗାଁରେ ରହୁଥିବା ଲୋକମାନଙ୍କୁ। ଯାହାଙ୍କ ପାଖରେ ବ୍ୟାଙ୍କ ଦୂରରେ ଅଛି, କିନ୍ତୁ ବିଜନେସ କରସ୍ପୋଣ୍ଡେଣ୍ଟ ପାଖରେ ଅଛନ୍ତି। ବୃଦ୍ଧବୃଦ୍ଧା ଏବଂ ମହିଳାମାନଙ୍କୁ ମଧ୍ୟ ଏହାର ଲାଭ ମିଳିବ, ଯାହାଙ୍କ ପାଖରେ ସମସ୍ତ କାଗଜପତ୍ର ନାହିଁ।

ଯଦି ଆପଣଙ୍କୁ ଖାତା ବିନା ଟଙ୍କା ନେବାର ଅଛି, ତେବେ ଆପଣଙ୍କୁ ଏହା କରିବାକୁ ପଡ଼ିବ। ପଠାଉଥିବା ବ୍ୟକ୍ତିଙ୍କଠାରୁ ଟ୍ରାଞ୍ଜାକ୍ସନ (Transaction) ର ତଥ୍ୟ ନେଇଯାଆନ୍ତୁ। ନିକଟସ୍ଥ ଏଟିଏମ (ATM) କିମ୍ୱା ବିଜନେସ କରସ୍ପୋଣ୍ଡେଣ୍ଟ ଙ୍କ ପାଖକୁ ଯାଆନ୍ତୁ। ନିଜର ପରିଚୟ ଦିଅନ୍ତୁ ଏବଂ କୁହାଯାଇଥିବା ଉପାୟରେ ଭେରିଫିକେସନ (Verification) କରାନ୍ତୁ। ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ ନେଇଯାଆନ୍ତୁ। ଧ୍ୟାନ ରଖନ୍ତୁ, ବ୍ୟାଙ୍କ ଏଥିପାଇଁ ଆପଣଙ୍କଠାରୁ କୌଣସି ଭୁଲ ଚାର୍ଜ ନେବ ନାହିଁ। ଯଦି କେହି ଅଧିକ ଟଙ୍କା ମାଗନ୍ତି, ତେବେ ବ୍ୟାଙ୍କରେ ଅଭିଯୋଗ କରନ୍ତୁ।

RBI ର ଏହି ନୂତନ ନିୟମ ଛୋଟ ଏବଂ ଗରୀବ ଲୋକଙ୍କ ପାଇଁ ଏକ ବହୁତ ବଡ଼ ଆଶ୍ୱସ୍ତି। ବର୍ତ୍ତମାନ ବ୍ୟାଙ୍କ ଖାତା ନଥିବା କାରଣରୁ କାହାରି ଟଙ୍କା ଅଟକିବ ନାହିଁ। ଟଙ୍କା ସଠିକ ସମୟରେ, ସୁରକ୍ଷିତ ଉପାୟରେ, ସଠିକ ହାତରେ ପହଞ୍ଚିବ।

Share