ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଜାଲିଆତିକୁ ରୋକିବା ଏବଂ ଗ୍ରାହକମାନଙ୍କ ଅଧିକାରକୁ ମଜଭୁତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବର୍ଷ ୨୦୨୬ରେ ଅନେକ ବ୍ୟାଙ୍କିଙ୍ଗ ନିୟମକୁ କଡ଼ାକଡ଼ି କରିଛି। ଋଣ ପ୍ରିପେମେଣ୍ଟ ଚାର୍ଜଠାରୁ ଆରମ୍ଭ କରି ଏଟିଏମ ବିଫଳ (fail) ହେବା ପରେ ମିଳୁଥିବା କ୍ଷତିପୂରଣ ପର୍ଯ୍ୟନ୍ତ, ଅନେକ ଏଭଳି ପରିବର୍ତ୍ତନ ହୋଇଛି ଯାହା ବିଷୟରେ ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକ ଜାଣିବା ଉଚିତ। ଆସନ୍ତୁ ଜାଣିବା ଆରବିଆଇର ସେହି ୫ଟି ବଡ଼ ନିୟମ ଯାହା ଆପଣଙ୍କ ବ୍ୟାଙ୍କିଙ୍ଗକୁ ସୁରକ୍ଷିତ ଏବଂ ସହଜ କରୁଛି…
ଅନେକ ସମୟରେ ଏଟିଏମ ଟ୍ରାନ୍ସଜାକ୍ସନ ବିଫଳ ହେବା କିମ୍ବା ବୈଷୟିକ ତ୍ରୁଟି (technical fault) ହେତୁ ଟଙ୍କା ବାହାରି ନଥାଏ, କିନ୍ତୁ ଆକାଉଣ୍ଟରୁ ଟଙ୍କା କଟିଯାଏ। ଆରବିଆଇର କଡ଼ା ନିୟମ ଅନୁଯାୟୀ, ବ୍ୟାଙ୍କଗୁଡ଼ିକୁ ଏଭଳି ପରିସ୍ଥିତିରେ ୫ଟି ୱାର୍କିଙ୍ଗ ଡେଜ (କାର୍ଯ୍ୟ ଦିବସ) ମଧ୍ୟରେ ଟଙ୍କା ଫେରସ୍ତ କରିବାକୁ ହେବ। ଯଦି ବ୍ୟାଙ୍କ ୫ ଦିନ ମଧ୍ୟରେ ଗ୍ରାହକଙ୍କ ଟଙ୍କା ଆକାଉଣ୍ଟରେ କ୍ରେଡିଟ କରିବାରେ ବିଫଳ ହୁଏ, ତେବେ ବ୍ୟାଙ୍କକୁ ବାଧ୍ୟତାମୂଳକ ଭାବେ ପ୍ରତିଦିନ ୧୦୦ ହିସାବରେ ଗ୍ରାହକଙ୍କୁ କ୍ଷତିପୂରଣ (Compensation) ଦେବାକୁ ପଡ଼ିବ।
ସିମ ସ୍ବାପ (SIM Swap) ଏବଂ ଫିସିଙ୍ଗ ଭଳି ଚତୁରତା ଦ୍ୱାରା ବଢୁଥିବା ଡିଜିଟାଲ ଜାଲିଆତିକୁ ରୋକିବା ପାଇଁ ଏପ୍ରିଲ ୨୦୨୬ରୁ ସୁରକ୍ଷା ବ୍ୟବସ୍ଥାକୁ ଅପଗ୍ରେଡ କରାଯାଇଛି। ବଡ଼ ଏବଂ ହାଇ-ଭାଲ୍ୟୁ (high-value) ଟ୍ରାନ୍ସଜାକ୍ସନଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ଏବେ କେବଳ ସାଧାରଣ ଏସଏମଏସ ଓଟିପି (SMS OTP) ଭରସାରେ ରହିବା ବଦଳରେ ବାୟୋମେଟ୍ରିକ ଅଥେଣ୍ଟିକେସନ, ଫେସ ଆଇଡି (Face ID) ଏବଂ ଆପ-ବେସଡ ଆପ୍ରୁଭାଲ ଟୋକନ ଭଳି ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥାକୁ ଦ୍ରୁତ ଗତିରେ ପ୍ରୋତ୍ସାହନ ଦିଆଯାଉଛି।
ବ୍ୟାଙ୍କଗୁଡ଼ିକ ଦ୍ୱାରା ଆକାଉଣ୍ଟରେ ମିନିମମ ବାଲାନ୍ସ (Minimum Balance) ନ ରଖିବା ଯୋଗୁଁ ମନଇଚ୍ଛା ଏବଂ ଲୁକ୍କାୟିତ ଚାର୍ଜ (Hidden Penalties) ଲଗାଇବା ଉପରେ ଆରବିଆଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆରବିଆଇର ସ୍ପଷ୍ଟ ନିର୍ଦ୍ଦେଶ ଯେ, ଜରିମାନା ଦର ସମ୍ପୂର୍ଣ୍ଣ ରୂପେ ସ୍ବଚ୍ଛ ଏବଂ ଯୁକ୍ତିଯୁକ୍ତ ହେବା ଉଚିତ। କୌଣସି ପରିସ୍ଥିତିରେ ଶୁଳ୍କ ଲଗାଇବା ଚକ୍କରରେ ଗ୍ରାହକଙ୍କ ଆକାଉଣ୍ଟ ଅନୁଚିତ ଭାବେ ନେଗେଟିଭ (-) ହେବା ଉଚିତ ନୁହେଁ, ଯାହାଦ୍ୱାରା କ୍ଷୁଦ୍ର ଆକାଉଣ୍ଟଧାରୀମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ।
ଡିଜିଟାଲ ଲେଣ୍ଡିଙ୍ଗ ଗାଇଡଲାଇନ୍ସ ଅଧୀନରେ ଆରବିଆଇ ବେଆଇନ ଏବଂ ମନଇଚ୍ଛା ଚାଲୁଥିବା ଲୋନ ଆପ୍ସ (Loan Apps) ଗୁଡ଼ିକ ଉପରେ ଲଗାମ କଷିଛି। ଏବେ କୌଣସି ବି ଲୋନ ଆପ ଗ୍ରାହକମାନଙ୍କୁ ଋଣ ଦେବା ବାହାନାରେ ସେମାନଙ୍କର ବ୍ୟକ୍ତିଗତ କଣ୍ଟାକ୍ଟସ, ଗ୍ୟାଲେରୀ, ଫଟୋ ଏବଂ କଲ ଲଗ୍ସର ବାଧ୍ୟତାମୂଳକ ଆକ୍ସେସ (Access) ନେଇପାରିବେ ନାହିଁ। ଋଣ ଆଦାୟକାରୀ ଏଜେଣ୍ଟ (Recovery Agents) ମାନଙ୍କ ଦ୍ୱାରା ସମ୍ପର୍କୀୟମାନଙ୍କୁ କଲ କରିବା କିମ୍ବା ସାମାଜିକ ସ୍ତରରେ ଅପମାନିତ (Public Sheming) କରିବା ଭଳି ନିର୍ଯାତନାକୁ ରୋକିବା ପାଇଁ ଗ୍ରାହକଙ୍କ ସ୍ପଷ୍ଟ ସହମତି (Customer Consent) କୁ ବାଧ୍ୟତାମୂଳକ କରାଯାଇଛି।
’RBI New Rules 2026’ ନାମରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ବଢ଼େଇ ଚଢ଼େଇ କୁହାଯାଇଥିବା ଦାବି ଏବଂ ଭ୍ରମାତ୍ମକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେକୌଣସି ନିୟମ କିମ୍ବା ଦାବିକୁ ଚୂଡ଼ାନ୍ତ ଏବଂ ସତ୍ୟ ବୋଲି ମାନିବା ପୂର୍ବରୁ ସର୍ବଦା ଭାରତୀୟ ରିଜର୍ଭ ବ୍ୟାଙ୍କର ଆଧିକାରିକ ୱେବସାଇଟ (rbi.org.in) କିମ୍ବା ଆପଣଙ୍କ ସମ୍ବନ୍ଧିତ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଅଫିସିଆଲ ନୋଟିଫିକେସନ (official notification) କୁ ନିଶ୍ଚିତ ଭାବରେ କ୍ରସ-ଚେକ (cross-check) କରନ୍ତୁ।