Paytm ଗ୍ରାହକଙ୍କୁ ବଡ଼ ଝଟ୍‌କା! RBI ରଦ୍ଦ କଲା ବ୍ୟାଙ୍କିଂ ଲାଇସେନ୍ସ, ଏବେ ଆଉ…

ମୁମ୍ବାଇ,୨୪।୪: ଡିଜିଟାଲ କାରବାର କ୍ଷେତ୍ରରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଏକ ବଡ଼ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଆରବିଆଇ ଏହି ବ୍ୟାଙ୍କର ବ୍ୟାଙ୍କିଙ୍ଗ ଲାଇସେନ୍ସ ରଦ୍ଦ କରିଦେଇଛି।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଆଧିକାରିକ ବୟାନ ଅନୁଯାୟୀ, ବ୍ୟାଙ୍କିଙ୍ଗ ରେଗୁଲେଶନ ଆକ୍ଟ ଅଧୀନରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଏଣିକି କୌଣସି ପ୍ରକାରର ବ୍ୟାଙ୍କିଙ୍ଗ କାର୍ଯ୍ୟ କରିପାରିବ ନାହିଁ। ଏହାର ଅର୍ଥ ହେଉଛି, ବ୍ୟାଙ୍କ ଏବେ ନୂଆ କିମ୍ବା ପୁରୁଣା ଗ୍ରାହକଙ୍କ ପାଇଁ ସାଧାରଣ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ ହୋଇପଡ଼ିଛି।
କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କର କାର୍ଯ୍ୟଶୈଳୀ ଏବଂ ପରିଚାଳନା ସାଧାରଣ ଜନତାଙ୍କ ସ୍ବାର୍ଥ ରକ୍ଷା କ୍ଷେତ୍ରରେ ଉପଯୁକ୍ତ ନଥିଲା। ଏହା ସହିତ:
-ବ୍ୟାଙ୍କ ତା’ର ପେମେଣ୍ଟ ବ୍ୟାଙ୍କ ଲାଇସେନ୍ସ ସହ ଜଡ଼ିତ ଏକାଧିକ ସର୍ତ୍ତକୁ ସଠିକ ଭାବେ ପାଳନ କରିବାରେ ବିଫଳ ହୋଇଥିଲା।
-ପୂର୍ବରୁ ମଧ୍ୟ ଅନିୟମିତତା କାରଣରୁ ମାର୍ଚ୍ଚ ୧୧, ୨୦୨୨ରୁ ବ୍ୟାଙ୍କକୁ ନୂଆ ଗ୍ରାହକ ଯୋଡ଼ିବାକୁ ବାରଣ କରାଯାଇଥିଲା।
-ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା, କ୍ରେଡିଟ କରିବା ଏବଂ ୱାଲେଟ ଟପ-ଅପ କରିବା ଉପରେ ମଧ୍ୟ କଟକଣା ଲଗାଯାଇଥିଲା।
ଲାଇସେନ୍ସ ରଦ୍ଦ ହେବା ପରେ ପେଟିଏମ ପେମେଣ୍ଟ ବ୍ୟାଙ୍କର ଭବିଷ୍ୟତ ଏବେ ସମ୍ପୂର୍ଣ୍ଣ ଅନିଶ୍ଚିତ ହୋଇପଡ଼ିଛି। ଏହାର ପ୍ରତ୍ୟକ୍ଷ ପ୍ରଭାବ କୋଟି କୋଟି ଗ୍ରାହକଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି। ବିଶେଷ କରି ଯେଉଁମାନଙ୍କର ଟଙ୍କା ଏହି ବ୍ୟାଙ୍କ ଆକାଉଣ୍ଟ କିମ୍ବା ୱାଲେଟ୍‌ରେ ରହିଛି, ସେମାନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଛି।
କହିରଖୁୁଛୁ, ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପେଟିଏମ ଆପ (Paytm App) ର ୟୁପିଆଇ (UPI) ସେବା ଉପରେ ପ୍ରଭାବ ପକାଇ ନପାରେ, କିନ୍ତୁ କେବଳ ’ପେମେଣ୍ଟ ବ୍ୟାଙ୍କ’ ଶାଖା ସମ୍ପୂର୍ଣ୍ଣ ବନ୍ଦ ହେବ।
Dharitri – Odisha’s No.1 Odia Daily

Share