ନୂଆଦିଲ୍ଲୀ, ୩।୧୧: ଦୀପାବଳିକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏକ ଖବର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ବ୍ୟବସାୟୀମାନେ ଏହି ଖବରକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରକୃତରେ ହ୍ବାଟ୍ସଆପ୍ରେ ଏକ ମେସେଜ ଘୂରି ବୁଲୁଛି, ଯାହା ଦେଖିବାକୁ ଆରବିଆଇର ସର୍କୁଲାର ଭଳି ଲାଗୁଛି। ଏଥିରେ ଦାବି କରାଯାଉଛି ଯେ, ଖୁବଶୀଘ୍ର ଦେଶବ୍ୟାପୀ ୧୦, ୨୦ ଓ ୫୦ ଟଙ୍କିଆ ଛୋଟ ନୋଟ୍ର ଅଭାବ ଦେଖାଦେବ।
ଏହାସହ ନୋଟର ଅଭାବ ହେବାର କାରଣ ମଧ୍ୟ ଏହି ମେସେଜରେ ଦର୍ଶାଯାଇଛି। ତେବେ ଏହି ଖବର କେତେ ସତ? ଯଦି ପ୍ରକୃତରେ ୧୦, ୨୦ ଓ ୫୦ ଟଙ୍କିଆ ନୋଟ୍ର ଅଭାବ ହୁଏ, ତେବେ ବଜାର ଉପରେ ଏହାର କି ପ୍ରଭାବ ପଡ଼ିବ? ଆସନ୍ତୁ ଜାଣିବା ଏହି ଭାଇରାଲ ମେସେଜର ସତ୍ୟତା।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋରେ ଦାବି କରାଯାଉଛି ଯେ, ଦୀପାବଳି ପୂର୍ବରୁ ୧୦, ୨୦ ଓ ୫୦ ଟଙ୍କିଆ ନୋଟ୍ର ଅଭାବ ଦେଖାଦେବ। ଫଳରେ ପର୍ବ ସମୟରେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ।
ଏହି ଭାଇରାଲ ଫଟୋରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନାମ, ଲୋଗୋ ଏବଂ ଗଭର୍ନରଙ୍କ ଦସ୍ତଖତ ମଧ୍ୟ ରହିଛି। ଏହାସହ ପୋଷ୍ଟରେ ଦାବି କରାଯାଇଛି ଯେ, ସରକାରଙ୍କ କ୍ୟାଶ୍ଲେସ ସମାଜ ଗଠନ ଲକ୍ଷ୍ୟକୁ ଦୃଷ୍ଟିରେ ରଖି କମ ମୂଲ୍ୟର ନୋଟ ଛାପିବା ଧୀରେ ଧୀରେ କମାଇ ଦିଆଯାଉଛି। ଏଥିସହ ଗ୍ରାହକମାନଙ୍କୁ UPI, କାର୍ଡ ଏବଂ ନେଟ ବ୍ୟାଙ୍କିଂ ଭଳି ଡିଜିଟାଲ ପେମେଣ୍ଟ ବ୍ୟବହାର କରିବାକୁ କୁହାଯାଉଛି।
ଏହି ଭାଇରାଲ ଦାବିକୁ ନେଇ PIB ଫ୍ୟାକ୍ଟ ଚେକ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। PIB ନିଜର X ହ୍ୟାଣ୍ଡେଲରେ ଏହି ଫଟୋକୁ ନକଲି ବୋଲି କହିଛି।
PIB ଫ୍ୟାକ୍ଟ ଚେକ ଅନୁଯାୟୀ, ହୱାଟ୍ସଆପରେ ପ୍ରସାରିତ ହେଉଥିବା ଏହି ମେସେଜରେ ଦାବି କରାଯାଇଛି ଯେ, ଦୀପାବଳି ପୂର୍ବରୁ ୧୦, ୨୦ ଓ ୫୦ ଟଙ୍କିଆ ନୂଆ ନୋଟର ଅଭାବ ହେବା ନେଇ ଆରବିଆଇ ଘୋଷଣା କରିଛି। କିନ୍ତୁ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା।
ପ୍ରକୃତରେ ନୋଟ୍ର ଉପଲବ୍ଧତାକୁ ନେଇ ଆରବିଆଇ ପକ୍ଷରୁ ଏଭଳି କୌଣସି ଘୋଷଣା କରାଯାଇନାହିଁ। ତେଣୁ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏଭଳି ମିଥ୍ୟା ଖବର ଓ ଗୁଜବଠାରୁ ସତର୍କ ରହିବାକୁ PIB ପରାମର୍ଶ ଦେଇଛି।
ତେଣୁ ଦୀପାବଳି ପୂର୍ବରୁ ଛୋଟ ନୋଟ୍ର ଅଭାବ ହେବା ନେଇ ଚିନ୍ତା କରିବାର କାରଣ ନାହିଁ। କୌଣସି ଖବରକୁ ବିଶ୍ୱାସ କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରନ୍ତୁ।