ସୁଙ୍ଗେର ବୋମା ନିଷ୍କ୍ରିୟ ମାମଲା: ୪୮ ଘଣ୍ଟା ମଧ୍ୟରେ ୬ଜଣଙ୍କୁ ବାନ୍ଧିଲା ରାୟଗଡ଼ା ପୋଲିସ

ରାୟଗଡ଼ା,୯।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବୁଧବାର ଜିଲା ପୋଲିସ ଏବଂ ସିଆରପିଏଫ୍‌ କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ଏକ ଘର ପଛପଟେ ଥିବା ପାଇଖାନାରେ ରଖାଯାଇଥିବା ବୋମାକୁ ନିଷ୍କ୍ରିୟ କରିଥିଲେ। ୪୮ ଘଣ୍ଟା ନପୁରୁଣୁ ନିଷ୍କ୍ରିୟ କରାଯାଇଥିବା ବୋମା ଘଟଣାରେ ଜଡ଼ିତ ଥିବା ୬ ଜଣଙ୍କୁ ଗିରଫ କରିଛି ପୋଲିସ।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନିଜଙ୍କୁ ମାଓବାଦୀ ବୋଲି ପରିଚୟ ଦେଇ ଅଭିଯୋଗକାରୀଙ୍କୁ ଜୀବନରେ ମାରିଦେବା ଧମକ ଦେବା ସହ ୫ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ। ହେଲେ ଉକ୍ତ ଅଭିଯୋଗକାରୀଙ୍କୁ ମାରିବା ପାଇଁ ବୋମା ଖଞ୍ଜାଯାଇଥିବା ଜାଣିପାରି ଜିଲା ପୋଲିସ ସିଆରପିଏଫ୍‌ ଏବଂ ଡିଭିଏଫ୍‌ ଯବାନଙ୍କ ସହିତ ସୁଙ୍ଗେରରେ ସର୍ଚ୍ଚ ଅପରେଶନ କରି ପାଇଖାନାରେ ଥିବା ବୋମାକୁ ଠାବ କରିଥିଲେ । ଏହା ପରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ଉକ୍ତ ବୋମାକୁ ବିସ୍ଫୋରଣ କରି ଯୋଜନା ପଣ୍ଡ କରିଦେଇଥିଲେ। ଗିରଫ ୬ ଜଣ ପୂର୍ବ ଯୋଜନା କରି ବୋମା ପାଇଁ ବାହାର ରାଜ୍ୟରୁ ସମସ୍ତ ସାମଗ୍ରୀ ଆଣିଥିବା ନେଇ ସନ୍ଦେହ ରହିଛି ବୋଲି ଏସ୍‌ପି ବିବେକାନନ୍ଦ ଶର୍ମା ଶୁକ୍ରବାର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ତଦନ୍ତରେ ୬ ଜଣ ଗିରଫ ହୋଇଥିବା ବେଳେ ୨୦୦ ଗ୍ରାମ୍‌ ଜିଲୋଟିନ୍‌ ୫ଟି, ଇଲେକ୍ଟ୍ରୋନିକ ଡିଟେନେଟର୍‌ ୧୦ଟି, ୫ ମିଟର ବିଦ୍ୟୁତ ତାରରେ ତିଆରି ବୋମାକୁ ନିଷ୍କ୍ରିୟ କରାଯାଇଛି । ଏହା ସହିତ ୪ଟି ମୋବାଇଲ, ଗୋଟିଏ ସିଲିଣ୍ଡର ଏବଂ ଡିଜିଟାଲ ୱାଚ୍‌ ଜବତ କରାଯାଇଛି । ବୋମା ଠାବ, ନିଷ୍କ୍ରିୟ ଏବଂ ତଦନ୍ତରେ ରାୟଗଡ଼ା ଏସ୍‌ଡିପିଓ ଦେବଜ୍ୟୋତି ଦାସ ଏବଂ କାଶୀପୁର ଥାନା ଅଧିକାରୀ ପଦ୍ମା ମୁଥୁ ପ୍ରମୁଖ ଭୂମିକା ଗ୍ରହଣ କରି ପୋଲିସ ପାଇଁ ଏହି ସଫଳତା ଆଣିଥିବା ଏସ୍‌ପି ଶର୍ମା ପ୍ରକାଶ କରିଥିଲେ ।