ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଗିରଫ

ରାୟଗଡ଼ା(ସ୍ବ.ପ୍ର.)/ନବରଙ୍ଗପୁର(ବି.ପ୍ର.),୧୦ା୧: ବେଆଇନ ଭାବେ ରାତିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ରାୟଗଡ଼ା ଜିଲା ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଭିଜିଲାନ୍ସ ଦ୍ୱାରା ରବିବାର ରାତିରେ ଗିରଫ ହୋଇଛନ୍ତି। ନାୟକ ନିଜ ବୁଲେଟ୍‌(ଓଡି ୧୦ ଏମ୍‌-୩୦୦୧)ରେ ୫ଲକ୍ଷ ୫୪ ହଜାର ୫୬୦ ଟଙ୍କା ନେଇ ଯାଉଥିଲେ। ଭିଜିଲାନ୍ସ ଟିମ୍‌ ସୂଚନା ପାଇ ତାଙ୍କୁ ସ୍ଥାନୀୟ ଅରବିନ୍ଦ ନଗରଠାରେ ଧରିଥିଲା। ତେବେ ନାୟକ ଉକ୍ତ ଟଙ୍କା କେଉଁଠାରୁ ଆଣିଲେ ତାହାର ହିସାବ ସେ ଦେଇପାରି ନ ଥିଲେ। ରାତିରେ ଡିଏସ୍‌ପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ୱରେ ନାୟକଙ୍କ ରାୟଗଡ଼ା ମଙ୍ଗଳା ନଗର ନିକଟସ୍ଥ ଭଡ଼ାଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ସେଠାରୁ ୬ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଥିଲା। ମୋଟ ୧୧ ଲକ୍ଷ ୮୪ ହଜାର ୫୬୦ ଟଙ୍କା ନଗଦ ଆକାରରେ ଜବତ କରାଯାଇଥିବାବେଳେ ନାୟକଙ୍କ ନିକଟରେ ତାହାର ହିସାବ ନ ଥିଲା। ସୋମବାର ତାଙ୍କୁ ଜୟପୁର କୋର୍ଟ ଚାଲାଣ କରାଯାଇଛି।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ମନ୍ତ୍ରୀଗୁଡ଼ାସ୍ଥିତ ପୈତୃକ ବାସଭବନ ଏବଂ ଭୁବନେଶ୍ୱର ପାତ୍ରପଡ଼ାଠାରେ ସ୍ତ୍ରୀ ରହୁଥିବା ବାସଭବନରେ ମଧ୍ୟ ସୋମବାର ଏକକାଳୀନ ଚଢ଼ାଉ କରାଯାଇ ଯାଞ୍ଚ ଜାରି ରହିଛି। ଜଣେ ଅଧିକାରୀଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସିଲା ତାହାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗିରଫ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଜଳଛାୟା ମିଶନ ପିଆଇଓ ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ସେ କୋଲନରା ଓ କଲ୍ୟାଣସିଂହପୁର ବ୍ଲକ ଦାୟିତ୍ୱରେ ରହିଥିଲେ। ଜଳଛାୟା ମିଶନ ବିଭାଗରେ ଦୁର୍ନୀତି ଓ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହେଉଛି।