Categories: ଖେଳ

ମାସ୍କ ନ ପିନ୍ଧି ପୋଲିସ ସହ ଝଗଡ଼ା କଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ରାଜକୋଟ, ୧୧।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିବାବା ମାସ୍କ ପରିଧାନ ନ କରି ଗୁଜରାଟର ରାଜକୋଟ ସହରରେ ବୁଲୁଥିବାର ଦେଖିବାକୁ ମିଳିଥିଲା। କରୋନା ନିୟମ ଉଲ୍ଲଘଂନ କରିଥିବା କରିଥିବା ହେତୁ ଯେତେବେଳେ ଜଣେ ମହିଳା କନ୍‌ଷ୍ଟେବଳ ତାଙ୍କୁ ଅଟକାଇଥିଲେ ସେ ପୋଲିସ ସହ ଯୁକ୍ତିତର୍କ କରିବାକୁ ପଛାଇ ନ ଥିଲେ। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ରବୀନ୍ଦ୍ର ଜାଡେଜାଙ୍କ ସମେତ ତାଙ୍କ ସ୍ତ୍ରୀ ରିବାବା ଏବଂ ଆଉ ୨-୩ ଜଣ ବ୍ୟକ୍ତି କାର୍‌ରେ ସୋମବାର ସଂନ୍ଧ୍ୟାରେ ରାଜକୋଟ ରିଙ୍ଗ୍‌ ରୋଡ୍‌ରେ ବୁଲୁଥିଲେ। ଏହି ସମୟରେ ରାଜକୋଟ ମହିଳା ପୋଲିସ ଷ୍ଟେସନର ହେଡ୍‌ କନ୍‌ଷ୍ଟେବଳ ସୋନାଲ ଗଣେଶ୍ୱରୀ ଜାଡେଜାଙ୍କ କାର୍‌କୁ ଅଟକାଇଥିଲେ। ଜାଡେଜା ଓ ଅନ୍ୟ ୨-୩ ଜଣ ମାସ୍କ ପରିଧାନ କରିଥିବାବେଳେ ରିବାବା ବିନା ମାସ୍କରେ ଗାଡ଼ିରେ ବସି ବୁଲୁଥିବା ସୋନାଲ ଦେଖିବାକୁ ପାଇଥିଲେ। ଏହାପରେ ମହିଳା କନ୍‌ଷ୍ଟେବଳ ସୋନାଲ ଜରିମାନା ଦେବା ପାଇଁ ରିବାବାଙ୍କୁ କହିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ସମୟରେ ଉଚ୍ଚ ରକ୍ତଚାପ ଯୋଗୁ ସୋନାଲ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା। ରିପୋର୍ଟ ମୁତାବକ ପରେ ରିବାବା ଜୋରିମାନା ଦେଇ ସେଠାରୁ ଚାଲିଯାଇଥିଲେ। ଏହି ଘଟଣାରେ କୌଣସି ଏଫ୍‌ଆଇଆର୍‌ ରୁଜୁ ହୋଇ ନ ଥିବା ଡିସିପି ମନୋରସିଂ ଜାଡେଜା କହିଛନ୍ତି। ରିବାବା ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟା। ସେ ୩ ମାର୍ଚ୍ଚ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ଗତବର୍ଷ ମଧ୍ୟ ରିବାବାଙ୍କ କାର୍‌ ଜାମନଗରରେ ଜଣେ କନ୍‌ଷ୍ଟେବଳଙ୍କୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ଯୁକ୍ତିତର୍କରେ ପରିଣତ ହୋଇଥିଲା ଏବଂ କନ୍‌ଷ୍ଟେବଳ ଜଣଙ୍କ ରିବାବାଙ୍କ ଚୁଟି ଘୋଷାରୀ ଥିବା ଅଭିଯୋଗ ହୋଇଥିଲା।

Share