Categories: ଖେଳ

ସିଏସ୍‌କେ ସହ ସମ୍ପର୍କ ତୁଟିଲା? ଆସନ୍ତା ଆଇପିଏଲ୍‌ରେ ନୂଆ ଟିମ୍‌ରୁ ଖେଳିବେ…

ନୂଆଦିଲ୍ଲୀ,୧୬।୮: ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜ ପରେ ଏସିଆ କପ୍‌ ଖେଳିବ ଭାରତ। ହେଲେ ଏସବୁ ମଧ୍ୟରେ ଚର୍ଚ୍ଚାରେ ରହିଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ସେ ବି ଜଣେ ଖେଳାଳିଙ୍କୁ ନେଇ। ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବ ଅଧିନାୟକ ଏବଂ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବେ ଆଇପିଏଲ୍‌ର ନୂଆ ଟିମ୍‌ ପକ୍ଷରୁ ଖେଳିପାରନ୍ତି ବୋଲି କୁହାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ଆଇପିଏଲ୍‌ ୨୦୨୨ ଶେଷ ହେବା ପରେ ଜାଡେଜା ଏବଂ ଚେନ୍ନାଇ ମ୍ୟାନେଜମେଣ୍ଟ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଏପରି ସ୍ଥିତିରେ ଜାଡେଜା ଆସନ୍ତାବର୍ଷ ଆଇପିଏଲ୍‌ ଲାଗି ନୂଆ ରାସ୍ତା ବାଛି ନେଇଛନ୍ତି।

ଚଳିତ ବର୍ଷ ଆଇପିଏଲ୍‌ ସମୟରେ ପ୍ରଥମେ ଜାଡେଜାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଥିଲେ। ହେଲେ ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ଟୁର୍ନାମେଣ୍ଟ ଅଧାରୁ ହଟାଇଦିଆଯାଇ ମହେନ୍ଦ୍ର ସିଂହ ଧୋନୀଙ୍କ ହାତରେ ପୁଣି ଦାୟିତ୍ୱ ଦିଆଯାଇଥିଲା। ଏହି କାରଣରୁ ଜାଡେଜା ଖପ୍ପା ଥିଲେ। ପରେ ଟୁର୍ନାମେଣ୍ଟର ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ ଖେଳିବା ପରେ ଆହତ ହେବା ଯୋଗୁ ଦଳରୁ ବାହାର ହୋଇଥିଲେ। ଏହି ବିବାଦ ପରେ ଏବେ ପୁଣି ଜାଡେଜା ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ବିବାଦ କଥା ସାମ୍ନାକୁ ଆସିଛି।

ଆଇପିଏଲ୍‌ ପରେ ଜାଡେଜା ଚେନ୍ନାଇ ସହ ଜଡ଼ିତ ସମସ୍ତ ପୋଷ୍ଟକୁ ସୋସିଆଲ ମିଡିଆରୁ କାଟି ଦେଇଥିଲେ। ଫ୍ରାଞ୍ଚାଇଜ ତାଙ୍କୁ କେତେକ ପୋଷ୍ଟରେ ସାମିଲ କରିଥିଲେ ହେଁ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଧୋନୀ ଆସନ୍ତାବର୍ଷ ଆଇପିଏଲ୍‌ ଖେଳୁଥିବାରୁ ଜାଡେଜାଙ୍କୁ ନେତୃତ୍ୱ ମିଳିବ ନାହିଁ। ଏସବୁ ଘଟଣାକୁ ଦୃଷ୍ଟିରେ ଦେଖି ଜାଡେଜା ୨୦୨୩ ଆଇପିଏଲ୍‌ରେ ନୂଆ ଟିମ୍‌ ପକ୍ଷରୁ ଖେଳିବା ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।

Share