Categories: ଖେଳ

ଧୋନୀଙ୍କ ପରେ ଚେନ୍ନାଇ ମଙ୍ଗ ଧରିବେ ଏହି କ୍ରିକେଟର! କିଛି ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୫।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୫ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ନୂଆ ଟିମ୍‌ର ମଙ୍ଗ ଧରିବ କିଏ। ସେନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ଏମ୍‌ଏସ୍‌ ଧୋନୀଙ୍କ ପରେ ରବିନ୍ଦ୍ର ଜାଡେଜାଙ୍କୁ ଦଳର ଅଧିନାୟକ କରାଯାଇପାରେ ବୋଲି କୁହାଯାଉଛି। ରମେଶ ବାଲା ଟୁଇଟରରେ ଶୁକ୍ରବାର ଏକ ପୋଷ୍ଟ କରିବା ପରେ ଏଭଳି କିଛି କଳ୍ପନାଜଳ୍ପନା ଚାଲିଛି।

 

କିଛି ଦିନ ପୂର୍ବେ ଏକ କାର୍ଯ୍ୟକ୍ରମରେ ଧୋନୀ କହିଥିଲେ ଯେ ଯେତେବେଳେ ସେ ଆଇପିଏଲ୍‌ରେ ଶେଷ ମ୍ୟାଚ୍‌ ଖେଳିବେ, ତାହା ଚେନ୍ନାଇର ଚେପାକ ମଇଦାନରେ ହିଁ ହେବ। ଏଣୁ ୨୦୨୨ରେ ସେ କେତୋଟି ମ୍ୟାଚ୍‌ ଖେଳିବେ ଅଥବା ପୂରା ସିଜନ୍‌ ସେ ରହିବେ ତାହା ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଫ୍ରାଞ୍ଚାଇଜ୍‌ ତାଙ୍କୁ ଆଗାମୀ ଆଇପିଏଲ୍‌ ପାଇଁ ମଧ୍ୟ ରିଟେନ୍‌ କରଛି। ଏବେ ତାଙ୍କ ସହ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଓପନର୍‌ ଋତୁରାଜ ଗାୟକଓ୍ବାଡ ଏବଂ ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍‌ ଅଲିଙ୍କୁ ମଧ୍ୟ ରଖାଯାଇଛି। ଏସବୁ ଦେଖିଲେଧୋନୀଙ୍କ ପରେ ଜାଡେଜାଙ୍କୁ ନୂତନ ଅଧିନାୟକ କରାଯାଇପାରେ। ହେଲେ ଏଯାଏ ସରକାରୀ ଭାବେ କୌଣସି ଘୋଷଣା କରାଯାଇନାହିଁ।

ଜାଡେଜାଙ୍କ ଆଇପିଏଲ୍‌ ଯାତ୍ରା ଦେଖିଲେ ସେ ୨୦୦୮ରେ ଡେବ୍ୟୁ କରିଥିଲେ। ପ୍ରଥମେ ସେ ରାଜସ୍ଥାନ ରୟାଲ୍ସର ଅଂଶ ଥିଲେ। ଏହି ସିଜନ୍‌ରେ ରାଜସ୍ଥାନ ଥରଟିଏ ପାଇଁ ଆଇପିଏଲ୍‌ ଚାମ୍ପିୟନ ହୋଇଥିଲା। ଏହାପରେ ଜାଡେଜା ଚେନ୍ନାଇକୁ ଆସିଥିଲେ। ୨୦୧୮ରେ ଚେନ୍ନାଇ ପୁଣି ଫେରିବା ପରେ ଜାଡେଜା ଏହି ଟିମ୍‌ର ଅଂଶ ହୋଇଥିଲେ। ସିଜନ୍‌ରେ ଚେନ୍ନାଇ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା। ସେବେଠାରୁ ୨୦୨୧ରେ ଚେନ୍ନାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହେବା ପର୍ଯ୍ୟନ୍ତ ଜାଡେଜା ଦଳ ଛାଡ଼ି ନ ଥିଲେ। ଏଯାବତ ସେ ୨୦୦ ମ୍ୟାଚ୍‌ ଖେଳିସାରିଛନ୍ତି। ଏଥିରେ ସେ ୨୩୮୬ ରନ୍‌ କରିଥିବା ବେଳେ ୧୨୭ ଉଇକେଟ ନେଇଛନ୍ତି। ମଇଦାନରେ ମଧ୍ୟ ସେ ଜଣେ ମହାନ ଫିଲ୍ଡର।

Share