ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନ୍ୟୁଜିଲାଣ୍ଡ ଗସ୍ତରେ ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ନେଟ୍ସରେ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରିବା ସହ ନିଜର ଏକ ପ୍ରାକ୍ଟିସ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କିନ୍ତୁ ନ୍ୟୁଜିଲାଣ୍ଡର ପିଚ୍ରେ ଅଧିକ ଘାସ ଦେଖି ଜାଡେଜା ଏକ ମଜାଦାର କଥା କହିଛନ୍ତି। ୩୭ ବର୍ଷୀୟ ଏହି ଅଲରାଉଣ୍ଡର ନିଜ ପ୍ରାକ୍ଟିସ ଭିଡିଓ ସହ ଲେଖିଛନ୍ତି, ଏତେ ଘାସ ତ ମୋ ଘୋଡ଼ା ବି ଖାଆନ୍ତିନି, ଯେତିକି ପିଚ୍ରେ ଅଛି! ଜାଡେଜାଙ୍କ ଏହି ମଜାଦାର ପୋଷ୍ଟ ଏବେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ରବୀନ୍ଦ୍ର ଜାଡେଜା ଭାରତ ପାଇଁ ଏପର୍ଯ୍ୟନ୍ତ ୯୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ସମୟରେ ୧୩୬ଟି ପାଳିରେ ୩୭.୮୧ ହାରରେ ୪୧୬୦ ରନ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ୬ଟି ଶତକ ଓ ୨୮ଟି ଅର୍ଦ୍ଧଶତକ ରହିଛି। ବୋଲିଂରେ ମଧ୍ୟ ଜାଡେଜାଙ୍କ ରେକର୍ଡ ଚମତ୍କାର। ୧୭୧ଟି ପାଳିରେ ସେ ୨୫.୩୦ ହାରରେ ୩୫୬ଟି ଉଇକେଟ ନେଇଛନ୍ତି। ଏଥିରେ ୧୫ ଥର ୫ ଉଇକେଟ ଏବଂ ୧୭ ଥର ୪ ଉଇକେଟ ନେବାର ସଫଳତା ରହିଛି।
ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ
ଶୁବମନ ଗିଲ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ (ଉପଅଧିନାୟକ), ଦେବଦତ୍ତ ପାଡିକଲ, ଋଷଭ ପନ୍ତ (ଉଇକେଟକିପର), ଧ୍ରୁବ ଜୁରେଲ (ଉଇକେଟକିପର), ରବୀନ୍ଦ୍ର ଜାଡେଜା, ଅଂଶୁଲ କମ୍ବୋଜ, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ସାଇ ସୁଦର୍ଶନ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ଗୁରନୂର ବରାର ଓ ମହମ୍ମଦ ସିରାଜ।