କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ ସେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହିତ ଯୋଗଦେଇ ପାରନ୍ତି, ଅନ୍ୟପକ୍ଷରେ କିଛି ଲୋକ ଭାବୁଛନ୍ତି ଯେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ କିମ୍ବା କୋଲକାତା ନାଇଟ୍ ରାଇଡର୍ସ (KKR)ରେ ସାମିଲ ହୋଇପାରନ୍ତି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ପ୍ରକାଶ କରିଛନ୍ତି ଯେ ୩୨ ବର୍ଷୀୟ ହାର୍ଦ୍ଦିକ କେଉଁ ଦଳ ସହିତ ଏବଂ କେଉଁ ମୂଲ୍ୟରେ ଯୋଗଦେଇ ପାରନ୍ତି।

ହାର୍ଦ୍ଦିକ ୨୦୨୪ ମସିହାରେ ଏକ ଟ୍ରେଡ୍ ଜରିଆରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେଇଥିଲେ। ଗୁଜରାଟ ଟାଇଟନ୍ସକୁ କ୍ରମାଗତ ଭାବେ ଦୁଇଥର ଫାଇନାଲ୍ ଏବଂ ଥରେ ଚାମ୍ପିୟନ କରାଇବା ପରେ ମୁମ୍ବାଇକୁ ତାଙ୍କର ପ୍ରତ୍ୟାବର୍ତ୍ତନ ହୋଇଥିଲା ଏବଂ ସେ ଦଳର ଅଧିନାୟକ ହୋଇଥିଲେ। ତେବେ ତାଙ୍କ ଅଧିନାୟକତ୍ୱରେ ପାଞ୍ଚଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।

୨୦୨୦ ମସିହାରୁ ମୁମ୍ବାଇ କୌଣସି ଟାଇଟଲ୍ ଜିତିପାରି ନାହିଁ। ଏହି ପ୍ରସଙ୍ଗରେ ସମ୍ଭାବ୍ୟ ଟ୍ରେଡ୍ ଡିଲ୍ ସମ୍ପର୍କରେ ଆଲୋଚନା କରି ଅଶ୍ୱିନ୍ କହିଛନ୍ତି ଯେ ସିଏସ୍‌କେ କିମ୍ବା କେକେଆର୍ ବ୍ୟତୀତ ଅନ୍ୟ କୌଣସି ଦଳ ହାର୍ଦ୍ଦିକଙ୍କୁ ନେବା ପାଇଁ ଚେଷ୍ଟା କରିବେ ନାହିଁ, କାରଣ ଏହି ଦୁଇଟି ଦଳ ନିଜ ସ୍କ୍ୱାଡ୍‌ରେ ବଡ଼ଧରଣର ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି।

ଅଶ୍ୱିନ୍ କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସ କେକେଆର୍ ସହିତ ଏକ ସ୍ୱାପ୍ ଡିଲ୍ କରିପାରେ, ଯଦି ସେମାନଙ୍କୁ ବଦଳରେ ଦ୍ରୁତ ବୋଲର୍ ହର୍ଷିତ ରଣା ଏବଂ ରିଙ୍କୁ ସିଂହ ମିଳିବେ। ହାର୍ଦ୍ଦିକ ସିଏସ୍‌କେ କିମ୍ବା କେକେଆର୍ ବ୍ୟତୀତ ଅନ୍ୟ କୌଣସି ଫ୍ରାଞ୍ଚାଇଜ୍‌କୁ ଯିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ।

ଚର୍ଚ୍ଚା ଏହା ମଧ୍ୟ ରହିଛି ଯେ ଚେନ୍ନାଇ ହାର୍ଦ୍ଦିକଙ୍କ ବଦଳରେ ଶିବମ ଦୁବେ ଏବଂ ଜଣେ ଦ୍ରୁତ ବୋଲର୍ ପ୍ରଦାନ କରିପାରେ। ଅନ୍ୟପକ୍ଷରେ କେକେଆର୍ କ୍ୟାମରନ୍ ଗ୍ରୀନ୍‌ଙ୍କୁ ଦେଇପାରେ। ଆଇପିଏଲ୍ ୨୦୨୬ ଶେଷ ହେବା ପରେ ହାର୍ଦ୍ଦିକ କ୍ରିକେଟ୍ ମଇଦାନଠାରୁ ଦୂରେଇ ରହିଛନ୍ତି। ୧୮ତମ ସଂସ୍କରଣରେ ହାର୍ଦ୍ଦିକ ୧୦ଟି ମ୍ୟାଚ୍ ଖେଳି ୨୦୬ ରନ୍ କରିଥିବାବେଳେ ୪ଟି ଉଇକେଟ ଅଧିକାର କରିଥିଲେ। ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପଏଣ୍ଟ୍ ତାଲିକାରେ ନବମ ସ୍ଥାନରେ ରହିଥିଲା।

Dharitri – Odisha’s No.1 Odia Daily