Categories: ଖେଳ

ଦିନିକିଆ-ଟି୨୦ରେ ପ୍ରତ୍ୟାବର୍ତ୍ତନକୁ ନେଇ ନିରବତା ଭାଙ୍ଗିଲେ ଅଶ୍ୱିନ, କହିଲେ‘ ଯେତେବେଳେ କେହି ଏହି ପ୍ରଶ୍ନ ପଚାରେ….’

ନୂଆଦିଲ୍ଲୀ,୧୬।୩: ଭାରତର ସର୍ବଶ୍ରେଷ୍ଠ ସ୍ପିନର୍‌ଙ୍କ ମଧ୍ୟରୁ ରବିଚନ୍ଦ୍ରନ ଅଶ୍ୱିନ ଅନ୍ୟତମ। ବିଗତ ଦୁଇ-ତିନି ମାସ ମଧ୍ୟରେ ସେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ ମଧ୍ୟ କରିଛନ୍ତି। ଇଂଲଣ୍ଡ ବିପକ୍ଷ ୪ ଟେଷ୍ଟ ମ୍ୟାଚ୍‌ରେ ସେ ୩୨ ଉଇକେଟ ନେଇଥିଲେ, ଯାହାକି ଅନ୍ୟ ବୋଲର୍‌ଙ୍କ ମଧ୍ୟରେ ସର୍ବାଧିକ ରହିଥିଲା। ଏଥିପାଇଁ ତାଙ୍କୁ ‘ମ୍ୟାଚ୍‌ ଅଫ୍‌ ଦ ସିରିଜ୍‌’ ଭାବେ ଘୋଷଣା କରାଯାଇଥିଲା। ସେ ନିଜର ଶେଷ ଦିନିକିଆ ଏବଂ ଟି୨୦ ୨୦୧୭ରେ ଖେଳିଥିଲେ। ଏବେ ଟେଷ୍ଟରେ ଅଶ୍ୱିନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ତାଙ୍କୁ ଭାରତୀୟ ଟି୨୦ ଏବଂ ଦିନିକିଆରେ ସ୍ଥାନ ଦିଆଯାଉ ବୋଲି ଚର୍ଚ୍ଚା ହେଉଛି। କ’ଣ ପାଇଁ ତାଙ୍କୁ ଦଳରୁ ବାହାର କରାଯାଇଛି ସେ ନେଇ ବିସିସିଆଇକୁ ସମାଲୋଚନା କରାଯାଉଛି। ଏବେ ସେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି।

ଏକ ସାକ୍ଷାତକାରରେ ଅଶ୍ୱିନ କହିଛନ୍ତି, ଅନେକ ଥର ଏଭଳି ସମୟ ଆସେ ଯେତେବେଳେ ଆପଣଙ୍କୁ ନିଜସହ ପ୍ରତିସ୍ପର୍ଦ୍ଧା କରିବାକୁ ପଡ଼ିଥାଏ। ହେଲେ ମୁଁ ନିଜ ଜୀବନରେ ସନ୍ତୁଳନ ରକ୍ଷା କରିବାକୁ ଚାହୁଁଛି। ନିଜ ସହ କିଭଳି ଲଢ଼ିବାକୁ ହୁଏ ତାହା ମୁଁ ଜାଣିଛି। ଯେତେବେଳେ କେହି ମୋତେ ଦିନିକିଆ ଏବଂ ଟି୨୦ ଟିମ୍‌ରେ କେବେ ଫେରିବେ ବୋଲି ପ୍ରଶ୍ନ କରନ୍ତି ହସ ଲାଗେ। କାରଣ ମୁଁ ବହୁତ ଶାନ୍ତିରେ ଅଛି। ଯେମିତି ଅଛି ଖୁସିରେ ଅଛି। ଯେବେ ଅବସର ମିଳିଛି ସେବେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି। ହେଲେ ଲୋକଙ୍କ ପ୍ରଶ୍ନ ଏବଂ ସେମାନଙ୍କ ରାୟ ଏବେ ଚିନ୍ତିତ କରୁନାହିଁ ବୋଲି ସେ କହିଛନ୍ତି।

Share