Categories: ଖେଳ

ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ ବେଳେ ଚଉକା ହେଲେ ରାଗରେ ଚିତ୍କାର କରୁଥିଲେ ଶାସ୍ତ୍ରୀ: ଭରତ ଅରୁଣ

ନୂଆଦିଲ୍ଲୀ,୨୯।୧: ଭାରତୀୟ କ୍ରିକେଟ ଟିମ୍‌ର ବୋଲିଂ କୋଚ୍‌ ଭରତ ଅରୁଣ ନିକଟରେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ଯେତେବେଳେ କୌଣସି ଭାରତୀୟ ବୋଲରଙ୍କ ବଲ୍‌ରେ ବିପକ୍ଷ ବ୍ୟାଟ୍ସମ୍ୟାନ୍‌ ଚଉକା ମାରିଥାଏ, ସେତେବେଳେ ସେ ରାଗରେ ଚିତ୍କାର କରିଥାନ୍ତି ବୋଲି ସେ କହିଛନ୍ତି।

ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ୟୁଟ୍ୟୁବ୍‌ ଚ୍ୟାନେଲରେ ସାକ୍ଷାତକାର ଦେଉଥିବା ସମୟରେ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଗସ୍ତରେ ଥିବା ସମୟରେ ରବି ଶାସ୍ତ୍ରୀ ଡ୍ରେସିଂ ରୁମ୍‌ରେ ଥାଇ ମ୍ୟାଚ୍‌ ଦେଖୁଥିଲେ। ଭାରତୀୟ ବୋଲରଙ୍କ ବଲ୍‌ରେ ବିପକ୍ଷଖେଳାଳି ଚଉକା ଅଥବା ଛକା ମାରିବା ସମୟରେ ସେ ବିବ୍ରତ ହୋଇ ଚିତ୍କାର କରୁଥିଲେ। ବୋଲରମାନେ ରନ୍‌ ଦିଅନ୍ତୁ ବୋଲି ସେ ଚାହୁଁ ନ ଥିଲେ। ବୋଲିଂ କରାଯାଉଥିବା ବେଳେ ଉଇକେଟ ହାସଲ କରାଯିବା ଉଚିତ ବୋଲି ସେ କହୁଥିଲେ।

ପ୍ରକାଶ ଯେ, ପୂର୍ବରୁ ବିରାଟ ଏବଂ ଅଜିଙ୍କ୍ୟ ରାହାନେଙ୍କ ଅଧିନାୟକତ୍ୱକୁ ନେଇ ଅରୁଣ କହିଥିଲେ, ରାହାନେ ଶାନ୍ତ। ଏହି କାରଣରୁ ବୋଲରମାନେ ଭୁଲ୍‌ କରିବା ପରେ ବି ଡରନ୍ତି ନାହିଁ। ହେଲେ କୋହଲିଙ୍କ କ୍ଷେତ୍ରରେ ଏହା ପୁରା ଓଲଟା। ବୋଲରମାନେ ଖରାପ ବଲ୍‌ ପକାଇବା ପରେ କୋହଲି ରାଗିଯାଇପାରନ୍ତି ବୋଲି ଭାବିଥାନ୍ତି। ହେଲେ ତାଙ୍କର ଆକ୍ରାମକତା ହିଁ ଉର୍ଜା ବୋଲି ଅରୁଣ କହିଥିଲେ।

Share