Categories: ଖେଳ

ରାଗରେ ଜୋତା ଧରି ଏହି କ୍ରିକେଟର୍‌ଙ୍କୁ ମାରିବାକୁ ଗୋଡାଇ ଥିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୯: ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ନିକଟରେ ଏକ ପୁସ୍ତକ ‘ଷ୍ଟାରଗେଜିଂ-ଦ ପ୍ଲେୟାର୍ସ ଇନ୍‌ ମାଇ ଲାଇଫ୍‌’ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ସେ ତାଙ୍କ କ୍ୟାରିୟର ସମୟରେ କ୍ରିକେଟ ପଡ଼ିଆ ଭିତରେ ତଥା ବାହାରେ ଘଟିଥିବା ଘଟଣାଗୁଡ଼ିକ ଉପରେ ବଡ଼ ଖୁଲାସା କରିଛନ୍ତି। ରବି ଶାସ୍ତ୍ରୀ ତାଙ୍କ ପୁସ୍ତକରେ ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ ଜାଭେଦ ମିଆଣ୍ଡାଦଙ୍କ ସହ ଜଡିତ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ଖୁବ କମ ଲୋକ ଜାଣନ୍ତି।
ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଥରେ ସେ ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ ଜାଭେଦ ମିଆନ୍ଦାଦଙ୍କୁ ଜୋତା ଦେଇ ଦୌଡ଼ିଥିଲେ। ୧୯୮୭ ମସିହାରେ ପାକିସ୍ତାନ ଦଳ ଭାରତ ଗସ୍ତରେ ଥିଲା ସମୟରେ ଏହି ଘଟଣା ଘଟିଥିଲା। ମାର୍ଚ୍ଚ ୨୦ରେ ହାଇଦ୍ରାବାଦ ପଡିଆରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଉଥିଲା। ପ୍ରଥମେ ବ୍ୟାଟିଂ କରି ରବି ଶାସ୍ତ୍ରୀଙ୍କ ୬୯ ଓ କପିଲ ଦେବଙ୍କ ୫୯ ରନ ଯୋଗୁ ଟିମ ଇଣ୍ଡିଆ ୪୪ ଓଭରରେ ୨୧୨ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ ଉତ୍ସାହରେ ପରିପୂର୍ଣ୍ଣ ଥିଲା ଏବଂ ଶେଷ ବଲରୁ ଜିତିବା ପାଇଁ ପାକିସ୍ତାନ ଦଳକୁ ଦୁଇଟି ରନ ଆବଶ୍ୟକ ଥିଲା। ତେବେ ପାକିସ୍ତାନର ଦଳ ଏହା କରିବାରେ ସଫଳ ହୋଇପାରି ନ ଥିଲା ଏବଂ ଦ୍ୱିତୀୟ ରନ ନେବା ଚକ୍କରରେ ଅବଦୁଲ କାଦିର ଆଉଟ ହୋଇଥିଲେ।
ଭାରତ ଏବଂ ପାକିସ୍ତାନ ସମାନ ସ୍କୋର କରିଥିଲେ ମଧ୍ୟ ଭାରତ ୬ଟି ଏବଂ ପାକିସ୍ତାନ ସାତ ଉଇକେଟ ହରାଇଥିଲା। ଗୋଟିଏ ଉଇକେଟ କମ୍‌ ଯାଇଯିବା କାରଣରୁ ଟିମ ଇଣ୍ଡିଆକୁ ବିଜେତା ଘୋଷିତ କରାଯାଇଥିଲା। ପରାଜୟରେ ହତାଶ ହୋଇ ଜାଭେଦ ମିଆନ୍ଦାଦ ଚିତ୍କାର କରି ଭାରତୀୟ ଡ୍ରେସିଂ ରୁମକୁ ଆସି କହିଥିଲେ ଯେ ତୁମେ ପ୍ରତାରଣା କରି ଜିତିଛି। ଏହା ଶୁଣି ରବି ଶାସ୍ତ୍ରୀଙ୍କ ରକ୍ତ ଗରମ ହୋଇଯାଇଥିଲା ଏବଂ ସେ ଜୋତା ଉଠାଇ ମିଆନ୍ଦାଦ ମାରିବାକୁ ପାକିସ୍ତାନୀ ଡ୍ରେସିଂ ରୁମକୁ ଯାଇଥିଲେ। ପାକିସ୍ତାନୀ ଅଧିନାୟକ ଇମ୍ରାନ ଖାନ ଏଥିରେ ହସ୍ତକ୍ଷେପ କରି ମାମଲାକୁ ଶାନ୍ତ କରିଥିଲେ। ତେବେ ଉଭୟ ଖେଳାଳି ଏହି ମାମଲାକୁ ଅଧିକ ବଢାଇ ନ ଥିଲେ ଏବଂ ଏହାକୁ ଭୁଲିଯିବା ଭଲ ବୋଲି ଭାବିଥିଲେ। ପରବର୍ତ୍ତୀ ମ୍ୟାଚ ପାଇଁ ଯେତେବେଳେ ଉଭୟ ଦଳ ପୁଣେ ଯାଉଥିଲେ, ଉଭୟ ଖେଳାଳି ବିମାନରେ ଏକାଠି ସମୟ ଅତିବାହିତ କରି ସମସ୍ତ ଅଭିଯୋଗ ଦୂର କରିଥିଲେ।

Share