Categories: ଖେଳ

ପୁଅ ଲଗାତର ୬ ବଲ୍‌ରୁ ୬ ଛକା ମାରି ରଚିଥିଲେ ଇତିହାସ: ପରଦିନ ମା’ ଭେଲ୍‌ପୁରୀ ବିକ୍ରେତାଙ୍କଠାରୁ ଶୁଣିଥିଲେ ଏହି ଖବର

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ଆଜି ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମେ ୨୭, ୧୯୬୨ରେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ରେ ଜନ୍ମଗ୍ରହଣ କରିଥିଲେ। ଜାନୁଆରୀ ୧୯୮୫ରେ ବମ୍ବେ ପାଇଁ ଖେଳୁଥିବାବେଳେ ରବି ଶାସ୍ତ୍ରୀ ବରୋଦା ବିପକ୍ଷରେ ୬ଟି ବଲ୍‌ରୁ ଛକା ମାରିଥିଲେ। ଶାସ୍ତ୍ରୀ ଦ୍ୱିତୀୟ ଇନିଂସରେ ୧୨୩ ବଲରେ ୨୦୦ ରନ ସଂଗ୍ରହ କରିଥିଲେ। ଏଥିସହ ଶାସ୍ତ୍ରୀ ବରୋଦାର ଦ୍ୱିତୀୟ ଇନିଂସରେ ଦୁଇଟି ଉଇକେଟ ମଧ୍ୟ ନେଇଥିଲେ। ସେହି ଦିନ ଶାସ୍ତ୍ରୀଙ୍କ ଏହି କୀର୍ତ୍ତି ବିଷୟରେ ସମଗ୍ର ବିଶ୍ୱ ଜାଣିବାକୁ ପାଇଲା। କିନ୍ତୁ ରବି ଶାସ୍ତ୍ରୀଙ୍କ ମା’ ପୁଅର ସଫଳତା ଘଟଣା ପରଦିନ ଏକ ଭେଲ୍‌ପୁରୀ ବିକ୍ରେତାଙ୍କ ଠାରୁ ଜାଣିବାକୁ ପାଇଥିଲେ। ଶାସ୍ତ୍ରୀଙ୍କ ମା’ ରେଡିଓରେ କ୍ରିକେଟ କମେଣ୍ଟ୍ରି ଶୁଣନ୍ତି। କିନ୍ତୁ ସେ ତାଙ୍କ ପୁଅର ଏହି କାର୍ଯ୍ୟ ବିଷୟରେ ସେ ଆଦୌ ସୂଚନା ପାଇ ନ ଥିଲେ।
ରବି ଶାସ୍ତ୍ରୀ ‘ବ୍ରେକ୍‌ଫାଷ୍ଟ୍‌ ଓ୍ବିଥ୍‌ ଚାମ୍ପିଅନ୍ସ ଶୋ’ ସମୟରେ ଏହା ପ୍ରକାଶ କରିଛନ୍ତି। ତାଙ୍କ ଇନିଂସ ବିଷୟରେ ବର୍ଣ୍ଣନା କରି ଶାସ୍ତ୍ରୀ କହିଛନ୍ତି, ବରୋଦା ବିପକ୍ଷରେ ସେହି ଇନିଂସ ଖେଳିବା ପରେ ମୁଁ ସାଙ୍ଗମାନଙ୍କ ସହିତ ରାତିରେ ପାର୍ଟି କରିବାକୁ ଯାଇଥିଲି। ମୁଁ ଘରକୁ ଫେରିବା ବେଳକୁ ଭୋର ତିନିଟା ହୋଇଥିଲା। ମୁଁ ମୋ ମା’ଙ୍କୁ କହିଲି ୫ଟାରେ ଅଭ୍ୟାସ କରିବାକୁ ଯିବି କହି ଶୋଇବାକୁ ଗଲି। ୫ଟାରେ ଉଠି ଅଭ୍ୟାସ ପାଇଁ ପଳାଇଲି। ସକାଳେ ମା’ ଘରର ସାମଗ୍ରୀ ଆଣିବାକୁ ବଜାରକୁ ଯାଇଥିଲେ। ଘର ନିକଟରେ ଥିବା ଜଣେ ଭେଲପୁରୀ ବିକ୍ରେତା ତାଙ୍କୁ କହିଥିଲେ ଯେ ରବି ୬ଟି ବଲରେ ୬ଟି ଛକା ମାରିଛନ୍ତି। ଏହି ଜାଣିବା ପରେ ମା’ ମୋତେ ଗାଳି ଦେଇ ଆଗରୁ କାହିଁକି କହିଲୁ ନାହିଁ ବୋଲି କହିଥିଲେ।
ରବି ଶାସ୍ତ୍ରୀ ଭାରତ ପାଇଁ ୮୦ଟି ଟେଷ୍ଟ ଏବଂ ୧୫୦ଟି ଦିନିକିଆ ଖେଳିଥିଲେ। ସେ ଟେଷ୍ଟରେ ୩୮୩୦ ରନ ଏବଂ ଦିନିକିଆରେ ୩୧୩୦ ରନ ସ୍କୋର କରିଥିଲେ। ସେ ୧୯୮୩ରେ ଇଂଲଣ୍ଡରେ ବିଶ୍ୱକପ ଜିତିଥିବା ଦଳର ଅଂଶ ଥିଲେ। ପରେ ଶାସ୍ତ୍ରୀ ଜଣେ ସମୀକ୍ଷକ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ଟିମ ଇଣ୍ଡିଆର କୋଚ ହୋଇଥିଲେ।

Share