ବାଦ୍ୟଯନ୍ତ୍ର ନିର୍ମାଣରେ ସିଦ୍ଧହସ୍ତ ରତ୍ନାକର: ପ୍ରୋତ୍ସାହନ ଅଭାବରୁ ବିତୁଛି ଅବହେଳିତ ଜୀବନ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ):ପଶ୍ଚିମ ଓଡ଼ିଶାର ଲୋକକଳାର ବିଭିଧତା ଓ ବିଭବତାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି। ଦ୍ୱିତୀୟତଃ ଲୋକକଳା ଅଛି ବୋଲି ମଞ୍ଚ କଳା ବିକଶିତ ହୋଇପାରୁଛି। କିନ୍ତୁ ଏହି ଚର୍ଚ୍ଚିତ କାହାଣୀ ପଛରେ ଲୁଚିଥିବା ଲୋକ କଳା ଓ ଲୋକ କଳାକାରଙ୍କ ଜୀବନ ଯନ୍ତ୍ରଣାର ଅନେକ ପ୍ରସଙ୍ଗ ରହିଛି। ଏମିତି ଜଣେ ଶିଳ୍ପୀ ହେଲେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଶରଧାପାଲିର ରତ୍ନାକର ଦୀପ। ବୟସ ପ୍ରାୟ ୮୦ ହେବ। ବାଦ୍ୟଯନ୍ତ୍ର ନିର୍ମାଣରେ ସିଦ୍ଧହସ୍ତ ରତ୍ନାକର। ସେ ଜଣେ ଭିନ୍ନ କଳାକାର ମଧ୍ୟ। ତାଙ୍କ ବିନା ଲୋକ କଳାକାର, ତାର କଳାକୁ ଲୋକଲୋଚନକୁ ଆଣିପାରେ ନାହିଁ। ମାତ୍ର ସେ ଆଜି ପ୍ରୋତ୍ସାହନ ଅଭାବରୁ ଅବହେଳିତ ଜୀବନ ବିତାଉଛନ୍ତି। ସେ ମୁଖ୍ୟତଃ ମୃଦଙ୍ଗ ନିର୍ମାଣରେ ସିଦ୍ଧହସ୍ତ। ତା’ ସହିତ ଢୋଲ, ନିଶାନ, ତସା, ମାନ୍ଦଲ ନିର୍ମାର କରିଥାନ୍ତି। ବାଦ୍ୟ କଳାକାରରେ ମଧ୍ୟ ଓସ୍ତାଦ। ଏହି ନିର୍ମାଣ ଶିଳ୍ପୀ ଅନବରତ ବାଦ୍ୟଯନ୍ତ୍ର ଗଢି ତୋଳୁଛନ୍ତି। ବାଦ୍ୟଯନ୍ତ୍ର ନିର୍ମାଣ କରି କେବଳ ଜୀବନ ବଞ୍ଚିଛି। କୌଣସି ଶାରୀରିକ ଅସୁସ୍ଥତା ହେଲେ ପେଟ କାଟି ଯିବାକୁ ହୁଏ। ସରକାର ତାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। କିନ୍ତୁ ଫାଇଲ ଭିତରେ ରହିଯାଉଛି। ଅନେକ ଥର ଭତ୍ତା ପାଇଁ ଆବେଦନ କରିଛନ୍ତି। ମିଳିଛି କେବଳ ପ୍ରତିଶ୍ରୁତି। ତାଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ଅଭାବ ରହିଛି। ଅଭାବ ଅସୁବିଧାରେ ଥାଇ ମଧ୍ୟ ଅନେକ ଚେଷ୍ଟା କରି ପରିବାର ସଦସ୍ୟଙ୍କ ସହଯୋଗରେ ନିଜର କୌଳିକ ବୃତ୍ତିକୁ ବଞ୍ଚେଇ ରଖିଛନ୍ତି। ବାଦ୍ୟ କଳାକାରଙ୍କୁ ସମସ୍ତେ ଚିହ୍ନନ୍ତି, କିନ୍ତୁ ବାଦ୍ୟ ନିର୍ମାଣ କରୁଥିବା ଲୋକଙ୍କୁ କେହି ଚିହ୍ନନ୍ତି ନାହିଁ। ଯଦି ଏହି ଦୁସ୍ଥ ଶିଳ୍ପୀ ତାଙ୍କର ନିର୍ମାଣ କାମ ବନ୍ଦ କରନ୍ତି, ତେବେ ବାଦ୍ୟ କଳାକାରମାନଙ୍କ ଅବସ୍ଥା କଣ ହେବ ସହଜେ ଅନୁମେୟ। ନିଜେ ବଞ୍ଚିବା ସହ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିବା କୁଶଳୀ କଳାକାର ଶିଳ୍ପୀ ପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ।

 

Dharitri – Odisha’s No.1 Odia Daily

 

Share